କୋଟିପତି ଫାଣ୍ଡି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେ଼ଙ୍କାନାଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବିରୋଡ ଫାଣ୍ଡିି ଅଧିକାରୀ ସବଇନ୍ସପେକ୍ଟର ସମରେନ୍ଦ୍ର ସାମଲଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ବିଭାଗର ୮ଟି ଟିମର ପ୍ରାୟ ୩୫ ଜଣ କର୍ମଚାରୀ ଏକାଧିକ ସ୍ଥାନରେ ଖାନତଲାସ ଚଳାଇଥିଲେ । ସନ୍ଧ୍ୟା ସୁଦ୍ଧା ଭିଜିଲାନ୍ସ ବିଭାଗ ଶ୍ରୀ ସାମଲଙ୍କର ପ୍ରାୟ ୧ କୋଟି ୮୨ ଲକ୍ଷ ଟଙ୍କା ସମ୍ପତ୍ତି ଆକଳନ କରିପାରିଛି । ଫାଣ୍ଡି ଅଧିକାରୀ ଶ୍ରୀ ସାମଲଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଅଟକ ରଖି ତଦନ୍ତ ଚଳାଇଛନ୍ତି ।
ଶ୍ରୀ ସାମଲଙ୍କ ନାମରେ ଲାଞ୍ଚ କାରବାର ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ରହିଥିଲା । ଢେ଼ଙ୍କାନାଳ ସ୍ପେଶାଲ ଜଜ ଭିଜିଲାନ୍ସଙ୍କ ସର୍ଚ୍ଚ ୱାରେଣ୍ଟ ଏବଂ କଟକ ଭିଜିଲାନ୍ସ ଡିଭିଜନର ଏସପିଙ୍କ ନିଦେ୍ର୍ଧଶ କ୍ରମେ ମଙ୍ଗଳବାର ସକାଳ ୬ଟାରୁ ଶ୍ରୀ ସାମଲଙ୍କ ବାସଭବନ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଥିଲା । ଚଢ଼ାଉ ବେଳେ ଶ୍ରୀ ସାମଲଙ୍କ ବିଳାସପୂର୍ଣ୍ଣ ଘର, ‘ଫାର୍ମ ହାଉସ, ସୁନାଗହଣା, ଦାମୀ ଗାଡ଼ି ଆଦି ଦେଖି ଭିଜିଲାନ୍ସ କର୍ମଚାରୀ ତାଜୁବ ହୋଇ ଯାଇଥିଲେ । ଶ୍ରୀ ସାମଲଙ୍କର ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟ ପଛପାଖ ପୁଲିସ କ୍ୱାର୍ଟର୍ସ, ଦେଉଳସାହି ସ୍ଥିତ ଘର (ଯାହା ଭଡ଼ାରେ ଲାଗିଛି), ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ କେନ୍ଦୁପଡ଼ାସ୍ଥିତ ପୈତୃକ ଘର, ମହାବିରୋଡ ଫାଣ୍ଡି କାର୍ଯ୍ୟାଳୟ, କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ଶ୍ୱଶୁର ଘରେ ଚଢ଼ାଉ ହୋଇଥିଲା । ଭିଜିଲାନ୍ସ ବିଭାଗର ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ସହ ୩୫ ଜଣ କର୍ମଚାରୀ ଚଢ଼ାଉରେ ସାମିଲ ଥିଲେ ।
Powered by Froala Editor