ନ୍ୟାୟ ନମିଳିବା ଯାଏଁ ଚୁପ ବସିବନି କଂଗ୍ରେସ: ରଣଦୀପ ସୁର୍ଯ୍ୟେୱାଲା
ଭୁବନେଶ୍ୱର: ଆଜି ମମିତାଙ୍କ ଗାଁ’ରେ କେନ୍ଦ୍ରୀୟ କଂଗ୍ରେସ ଟିମ ପହଞ୍ଚି ତାଙ୍କ ପରିବାରକୁ ଭେଟିଥିଲେ । ଏହାପରେ ମମିତା ମେହେର ହତ୍ୟା ମାମଲାରେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରଣଦୀପ ସୁର୍ଯ୍ୟେୱାଲା । ସେ କହିଛନ୍ତି ଓଡିଶାରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ, ନିର୍ଭୟା ଘଟଣାକୁ ପୁଣି ମନେପକାଇଦେଇଛି ।
ମହାପ୍ରଭୁ ଜଗନ୍ନାଥଙ୍କ ଏହି ପବିତ୍ର ରାଜ୍ୟ ବିଜେଡି ସରକାରଙ୍କ ପାଇଁ ଅପରାଧ ପ୍ରଦେଶରେ ପରିଣତ ହୋଇଯାଇଥିବା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏଠି ହତ୍ୟାକାରୀ ଏବଂ ଗୁଣ୍ଡା ଶାସନ ଗାଦିରେ ବସିଛନ୍ତି । ଦେଶରେ ଆଉ କେତେ ନିର୍ଭୟା ମରିବେ ବୋଲି କଂଗ୍ରେସ ନେତା ରଣଦୀପ ସୁର୍ଯ୍ୟେୱାଲା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ମମିତାଙ୍କୁ ନ୍ୟାୟ ନମିଳିବା ଯାଏଁ, ଚୁପ୍ ବସିବନି କଂଗ୍ରେସ ।
ଏଠି ଯେହେତୁ ରକ୍ଷକ ନିଜେ ଭକ୍ଷକ ସାଜିଛନ୍ତି, ତେଣୁ ମମିତାଙ୍କୁ କେମିତି ନ୍ୟାୟ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ସେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି । ଏହା ସହ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧୀନରେ ଏକ ଏସଆଇଟି ଗଠନ କରି ଏହି ମାମଲାରେ ତଦନ୍ତ କରିବାକୁ ସେ କହିଛନ୍ତି ।
Powered by Froala Editor