ମମିତା ହତ୍ୟା ମାମଲା: ବିଜେଡି ଉପରେ ବର୍ଷିଲେ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା
ଭୁବନେଶ୍ୱର: ଆଜି ମମିତାଙ୍କ ଗାଁ’ରେ କେନ୍ଦ୍ରୀୟ କଂଗ୍ରେସ ଟିମ ପହଞ୍ଚି ତାଙ୍କ ପରିବାରକୁ ଭେଟିଥିଲେ। ଏହାପରେ ମମିତା ମେହେର ହତ୍ୟା ମାମଲାରେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା। ସେ କହିଛନ୍ତି ଓଡିଶାରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ, ନିର୍ଭୟା ଘଟଣାକୁ ପୁଣି ମନେପକାଇଦେଇଛି।
ମହାପ୍ରଭୁ ଜଗନ୍ନାଥଙ୍କ ଏହି ପବିତ୍ର ରାଜ୍ୟ ବିଜେଡି ସରକାରଙ୍କ ପାଇଁ ଅପରାଧ ପ୍ରଦେଶରେ ପରିଣତ ହୋଇଯାଇଥିବା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏଠି ହତ୍ୟାକାରୀ ଏବଂ ଗୁଣ୍ଡା ଶାସନ ଗାଦିରେ ବସିଛନ୍ତି। କେବଳ ମମିତାଙ୍କ ହତ୍ୟା ହୋଇନି, ବରଂ ରାଜ୍ୟର ସବୁ ଝିଅଙ୍କ ସୁରକ୍ଷା ଉପରେ ଏକ ବଡ ପ୍ରଶ୍ନଚିହ୍ନ ଲାଗିଯାଇଛି। ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁ’ରେ ୧୨୦ ବି ଦଫା ଲଗାଇବାକୁ କହିଛନ୍ତି ।
ଦେଶରେ ଆଉ କେତେ ନିର୍ଭୟା ମରିବେ ବୋଲି କଂଗ୍ରେସ ନେତା ରଣଦୀପ ସୁର୍ଯ୍ୟେୱାଲା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ମମିତାଙ୍କୁ ନ୍ୟାୟ ନମିଳିବା ଯାଏଁ, ଚୁପ୍ ବସିବନି କଂଗ୍ରେସ। ଏଠି ଯେହେତୁ ରକ୍ଷକ ନିଜେ ଭକ୍ଷକ ସାଜିଛନ୍ତି, ତେଣୁ ମମିତାଙ୍କୁ କେମିତି ନ୍ୟାୟ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ସେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଏହା ସହ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧୀନରେ ଏକ ଏସଆଇଟି ଗଠନ କରି ଏହି ମାମଲାରେ ତଦନ୍ତ କରିବାକୁ ସେ କହିଛନ୍ତି।
Powered by Froala Editor