ଖୋଲିଛି ଆଉ ଏକ ଗୁମୁର, ମମିତା ନିଖୋଜ ପରେ ଗୋବିନ୍ଦ ସାହୁ ହିଁ ଲେଖାଇଥିଲା ଏତଲା
ବଲାଙ୍ଗିର : ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ନେଇ ଖୋଲିଛି ଆଉ ଏକ ଗୁମୁର।
ଆଜି ବିଜେପିର ଏକ ଟିମ୍ ମମିତାଙ୍କ ପରିବାରକୁ ଭେଟିଥିବା ବେଳେ ତାଙ୍କ ବାପା ଏକ ନୂଆ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ମମିତା ନିଖୋଜ ହେବା ପରେ ଗୋବିନ୍ଦ ସାହୁ ହିଁ ଲେଖାଇଥିଲା ଏତଲା। ସେ କହିଛନ୍ତି, ଝିଅ ନିଖୋଜ ପରେ ଆମେ ମହାଲିଙ୍ଗ କଲେଜକୁ ଯାଇଥିଲୁ। ସେଠାରେ ଗୋବିନ୍ଦ ସାହୁ ଥିଲେ। ଆମ ଏତଲା ସେ ତାଙ୍କର ଜଣେ କ୍ଲର୍କଙ୍କୁ ଡାକି ଲେଖାଇ ଥିଲେ। ମୁଁ ସେହି ଏତଲାକୁ ନ ପଢ଼ି ସେଥିରେ ଦସ୍ତଖତ କରି ଦେଇଥିଲି। ଦରଖାସ୍ତ ଉପରେ କଲେଜର ସିଲ୍ ଲଗାଯାଇଥିଲା। ସେ ଆହୁରି କହିଛନ୍ତି, ଆମେ ଥାନାକୁ ଯିବା ପୂର୍ବରୁ ଗୋବିନ୍ଦ ଆଗୁଆ କେଗାଁ ଥାନାକୁ ପଳାଇଯାଇଥିଲା। ଗୋବିନ୍ଦ ଥାନାରେ ପହଞ୍ଚିବାର ୧୦ ମିନିଟ୍ ପରେ ଆମେ ସେଠାରେ ପହଞ୍ଚିଥିଲୁ। ଗୋବିନ୍ଦ ଥାନାରେ ପହଞ୍ଚି ଥାନା ବାବୁଙ୍କ ସହ କ’ଣ କଥା ହୋଇଥିଲେ ଆମେ ଜାଣିନାହୁଁ। ଥାନା ବାବୁ ଆମ ଏତଲା ରଖିଲେନି। ତୁମ ଥାନା ତୁରେକେଲା ଯାଅ ବୋଲି ଆମକୁ ସଫା ସଫା ଶୁଣା ଦେଇଥିଲେ। ଏହାପରେ ଆମେ ପଳାଇ ଆସିଥିଲୁ। ତା’ପରେ ଆମେ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲୁ।
ମମିତାଙ୍କ ବାପା କହିଛନ୍ତି, ଯେଉଁ ଦିନ ହତ୍ୟାକାଣ୍ଡ ଘଟିଲା ତା’ ପୂର୍ବରୁ ବି ମମିତା ବାହାରକୁ ଯାଇଥିଲା। ତା’ ହତ୍ୟାକାଣ୍ଡରେ ଜଣଙ୍କର ସଂପୃକ୍ତି ନାହିଁ। ଘଟଣା ପଛରେ ଆଉ କେହି ନିଶ୍ଚିତ ଥିବେ। ସମସ୍ତ ଅଭିଯୁକ୍ତକୁ ଗିରଫ କରାଯାଉ ଓ ସେମାନଙ୍କୁ ଫାଶି ଦିଆଯାଉ। ଏହା ସହିତ ଏହି ଘଟଣାରେ କିଛି ରାଜନୀତି କରାଯାଉନି ବୋଲି ସେ କହିଛନ୍ତି।
Powered by Froala Editor