ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତା:ଓଡ଼ିଶାକୁ ୨୩ଟି ସ୍ୱର୍ଣ୍ଣ ଏବଂ ୨୦ଟି ରୌପ୍ୟ ପଦକ
ଭୁବନେଶ୍ବର: ଇଣ୍ଡିଆ ସ୍କିଲ୍ସ ୨୦୨୧ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛି ଓଡ଼ିଶା । ଏହି କୌଶଳ ପ୍ରଦର୍ଶନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀ ମୋଟ୍ ୨୩ଟି ସ୍ୱର୍ଣ୍ଣ ଏବଂ ୨୦ଟି ରୌପ୍ୟ ପଦକ ହାସଲ କରିଛନ୍ତି । ପୂର୍ବାଞ୍ଚଳର ୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ବିହାର ରାଜ୍ୟପାଳ ଫଗୁ ଚୌହାନ ଆଜି ଇଣ୍ଡିଆ ସ୍କିଲ୍ସ ୨୦୨୧ ଆଞ୍ଚଳିକ ପ୍ରତିଯୋଗିତାର ୯୮ ଜଣ ପଦକ ବିଜେତାମାନଙ୍କୁ ପୁରସ୍କୃତ କରିଛନ୍ତି । ପାଟନା ବାପୁ ସଭାଘର ପରିସରରେ ପୁରସ୍କାର ବିତରଣୀ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି । ସ୍ୱର୍ଣ୍ଣ ପଦକ ବିଜେତାମାନଙ୍କୁ ୨୧,୦୦୦ ହଜାର ଟଙ୍କା ଏବଂ ରୌପ୍ୟ ପଦକ ବିଜେତାମାନଙ୍କୁ ୧୧,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ପୂର୍ବାଞ୍ଚଳରୁ ଓଡ଼ିଶା ସମେତ ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହ, ଆସାମ, ବିହାର, ଝାଡ଼ଖଣ୍ଡ, ମିଜୋରାମ, ତ୍ରିପୁରା ଓ ପଶ୍ଚିମବଙ୍ଗ ଆଦି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଅଂଶଗ୍ରହଣ କରିଥିଲେ । ଉଭୟ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ତାଲିକାରେ ଓଡ଼ିଶାର ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ହାସଲ କରିଥିଲେ ।
ଏହି ଆଞ୍ଚଳିକ ପ୍ରତିଯୋଗିତାର ୯୮ ଜଣ ବିଜେତା ଡିସେମ୍ବର ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱ କୌଶଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ବିଶ୍ୱ କୌଶଳ ପ୍ରତିଯୋଗିତା ଅକ୍ଟୋବର ୨୦୨୨ରେ ଚୀନର ଶାଙ୍ଘାଇରେ ଅନୁଷ୍ଠିତ ହେବ ।
ପୂର୍ବାଞ୍ଚଳ ପ୍ରତିଯୋଗିତାର ଫାଇନାଲରେ ବିହାର ରାଜ୍ୟପାଳଙ୍କ ସମେତ ବିହାର ସରକାରଙ୍କ ଶ୍ରମ ସମ୍ବଳ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଜୀବେଶ କୁମାର, ବିହାର ସଡ଼କ ନିର୍ମାଣ ବିଭାଗ ମନ୍ତ୍ରୀ ନୀତିନ ନବୀନ, ଭାରତ ସରକାରଙ୍କ କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅତୁଲ ତିୱାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମୋଟ ୪୨ଟି କୌଶଳ ପ୍ରତିଯୋଗିତାରେ ୨୪୦ରୁ ଅଧିକ ପ୍ରତିଯୋଗୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ରୋଷେଇ, ରେଷ୍ଟୁରାଣ୍ଟ ସର୍ଭିସ, କନଫେକ୍ସନରୀ/ପ୍ୟାଷ୍ଟ୍ରୀ କୁକ, ବ୍ୟୁଟୀ ଥେରାପୀ, ହେୟାର ଡ୍ରେସିଂ, ମେକାନିକାଲ ଇଞ୍ଜିନିୟରିଂ ଡିଜାଇନ (ସିଏଡି), ୱେବ ଡିଜାଇନ, ଇଲେକ୍ଟ୍ରୋନିକ୍ସ, ଆଇଟି ସଫ୍ଟୱେର ସଲ୍ୟୁସନ୍ସ, ଗ୍ରାଫିକ ଡିଜାଇନ ଟେକ୍ନୋଲୋଜି, ମୋବାଇଲ ରୋବୋଟିକ୍ସ ଆଦି ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ପ୍ରତିଯୋଗିତା ଅକ୍ଟୋବର ୨୦ରୁ ୨୩ ତାରିଖ ପର୍ୟ୍ୟନ୍ତ ଆୟୋଜିତ ହୋଇଥିଲା ।
ପରବର୍ତ୍ତୀ ଆଞ୍ଚଳିକ ପ୍ରତିଯୋଗିତା ପଶ୍ଚିମାଞ୍ଚଳ ପାଇଁ ଗୁଜରାଟର ଗାନ୍ଧୀନଗର ଠାରେ, ଦକ୍ଷିଣାଞ୍ଚଳ ପାଇଁ ବିଶାଖାପାଟଣାରେ ଏବଂ ଉତ୍ତରାଞ୍ଚଳ ପାଇଁ ଚଣ୍ଡିଗଡ଼ ଠାରେ ଅନୁଷ୍ଠିତ ହେବ । ଜାତୀୟ କୌଶଳ ପ୍ରତିଯୋଗିତା ଡିସେମ୍ବର ୨୦୨୧ରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଇଣ୍ଡିଆ ସ୍କିଲ୍ସ ଜାତୀୟ ପ୍ରତିଯୋଗିତାର ବିଜେତାମାନେ ଅକ୍ଟୋବର ୨୦୨୨ରେ ଚୀନର ଶାଙ୍ଘାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବା ଲାଗି ସୁଯୋଗ ପାଇବେ ।
Powered by Froala Editor