ରାଜପଥ ପାଶ୍ୱର୍ରେ ୩୦ହଜାରଙ୍କୁ ଦିଆଯିବ ଦୁର୍ଘଟଣା ପରବର୍ତ୍ତୀ ପ୍ରାଥମିକ ଚିକିତ୍ସା ତାଲିମ
- ଉଠାଦୋକାନୀ, ପେଟ୍ରୋଲ ପମ୍ପ କର୍ମଚାରୀ, ପୁଲିସ୍କୁ ଦିଆଯିବ ପ୍ରଶିକ୍ଷଣ
- ତାଲିମ ପାଇଁ ସରକାର ଖର୍ଚ୍ଚ କରିବେ ଦୁଇ କୋଟି ଟଙ୍କା
- ରାଜପଥ ପାଶ୍ୱର୍ରୁ ହଟିବ ୧୦୦ ବ୍ଲାକ୍ ସ୍ପଟ୍
- ଡ୍ରାଇଭିଂ ଲାଇସେନ୍ସ ପୂର୍ବରୁ ଦୁଇ ଥର ଅନଲାଇନ୍, ଅଫଲାଇନ୍ ପ୍ରଶିକ୍ଷଣ ବାଧ୍ୟତାମୂଳକ
ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ଉଠାଦୋକାନୀ, ପୁଲିସ କର୍ମୀ, ପେଟ୍ରୋଲ ପମ୍ପ କର୍ମଚାରୀ, ଟାୟାର ଦୋକାନୀ, ଚା ଦୋକାନୀଙ୍କ ସମେତ ଅନ୍ୟମାନଙ୍କୁ ଦୁର୍ଘଟଣା ପରବର୍ତ୍ତୀ ଜରୁରୀ ଓ ପ୍ରାଥମିକ ଚିକିତ୍ସା ତାଲିମ( ଫାଷ୍ଟ ଏଡ୍ ପ୍ରି ଟ୍ରମା କେୟାର) ଦିଆଯିବ । ନଭେମ୍ବର ୮ ତାରିଖରୁ ଏହି ସ୍ୱତନ୍ତ୍ର ତାଲିମ ଅଭିଯାନ ଆରମ୍ଭ ହେବ । ୬ ମାସ ଧରି ଏହା ଚାଲିବ । ଇଣ୍ଡିଆ ଚାପ୍ଟର ଅଫ ଇଣ୍ଟରନ୍ୟାସନାଲ ରୋଡ୍ ଫେଡେରେସନ(ଆଇଆରଏଫ୍-ଆଇସି) ପକ୍ଷରୁ ଆୟୋଜିତ \"ଏନ୍ଫୋର୍ସମେଂଟ ଇନଭୋସେନ୍ ଫର ରୋଡ୍ ସେଫ୍ଟି\' ଶୀର୍ଷକ ୱେବିନାରରେ ଯୋଗ ଦେଇ ରାଜ୍ୟ ପରିବହନ ଆୟୁକ୍ତ ଅରୁଣ ବୋଥ୍ରା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଦୁର୍ଘଟଣା ପରବର୍ତ୍ତୀ କିଛି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଗୋଲଡେନ୍ ଆୱାର କୁହାଯାଏ । ଏହି ସମୟରେ ଉପଯୁକ୍ତ ଜରୁରୀ ତଥା ପ୍ରାଥମିକ ଚିକିତ୍ସା ମିଳିଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ଜୀବନ ବଞ୍ଚିବା ସମ୍ଭାବନା ଅଧିକ । ଏଣୁ ଦୁର୍ଘଟଣା ପରେ ସମସ୍ତଙ୍କୁ ଯେଭଳି ପ୍ରାଥମିକ ଉପଚାର ମିଳିପାରିବ ସେଥିପାଇଁ ଏହି ତାଲିମ ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନ ପାଇଁ ସରକାର ପ୍ରାୟ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ତେବେ ରାସ୍ତାରେ ଦୁର୍ଘଟଣା କମ୍ କରିବାକୁ ଟ୍ରାଫିକ୍ ନିୟମ ଉଲଙ୍ଘନକୁ ଯାଞ୍ଚ କରିବା ସହ ରୋଡ୍ ଇଞ୍ଜିନିୟରିଂ ବା ବୈଷୟିକ ଦିଗକୁ ଧ୍ୟାନ ଦେବାକୁ ପଡିବ । ରାଜ୍ୟର ଜାତୀୟ ଓ ରାଜ୍ୟ ରାଜପଥରୁ ପ୍ରତିବର୍ଷ ପ୍ରାୟ ୩୫୦ ବ୍ଲାକ୍ ସ୍ପଟ୍ ବା ଦୁର୍ଘଟଣା ପ୍ରବଣ ଅଞ୍ଚଳ ଚିହ୍ନଟ ହୁଏ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ଅବଗତ କରାଯାଏ । ଅଧିକାଂଶ ବ୍ଲାକ୍ ସ୍ପଟ୍କୁ ଖାତାକଲମରେ ସଂଶୋଧନ କରାଯାଏ, କିନ୍ତ ବାସ୍ତବରେ ଏହା ହଟେନି । ଆସନ୍ତା ବର୍ଷ ପୁଣି ଏହି ବ୍ଲାକ୍ ସ୍ପଟ୍ ଚିହ୍ନଟ ହୁଏ । ଏଥିପାଇଁ ଦୁର୍ଘଟଣା ବଢେ । ଏହି ବ୍ଲାକ୍ ସ୍ପଟକୁ ହଟାଇବାକୁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ସେହିଭଳି ଡ୍ରାଇଭିଂ ଲାଇସେନ୍ସ ଦେବା ପୂର୍ବରୁ ଦୁଇଟି ଅଫଲାଇନ୍ ଓ ଅନଲାଇନ ପ୍ରଶିକ୍ଷଣ ନେବାକୁ ହେବ । ଏହାକୁ ଏବେ ବାଧ୍ୟତାମୂଳକ କରାଯାଇଛି । ରେଡକ୍ରସ୍ ସହାୟତାରେ ଏହି ପ୍ରଶିକ୍ଷଣ ଦିଆଯିବ । ଏଥିରେ ଫାଷ୍ଟ୍ ଏଡ୍ ବା ପ୍ରାଥମିକ ଉପଚାରକୁ ବି ସାମିଲ କରାଯିବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି ।
ରାଜ୍ୟର ବିଭିନ୍ନ ରାସ୍ତା ପାଶ୍ୱର୍ରେ ଯେଉଁ ସାଇନେଜ୍ ବୋର୍ଡ ବା ଫଳକ ଲାଗିଛି ତାହା ତ୍ରୁଟିପୂର୍ଣ୍ଣ । ଆସନ୍ତା ଦୁଇ ବର୍ଷ ଭିତରେ ରାଜ୍ୟର ଏହି ତ୍ରୁଟିପୂର୍ଣ୍ଣ ସାଇନେଜ୍ ବୋର୍ଡ ଓ ଟ୍ରାଫିକ୍ ଲାଇଟ୍କୁ ଠିକ୍ କରାଯିବ । ଏହାକୁ ଗ୍ଲୋବାଲ ଷ୍ଟାଣ୍ଡାର୍ଡ ବା ବିଶ୍ୱସ୍ତରୀୟ ମାନର କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।
ଆଇଆରଏଫ୍-ଆଇସିର ସଭାପତି ସତୀଶ ପାରେଖ ୱେବିନାରରେ କହିଥିଲେ, ଉପଯୁକ୍ତ ସୁରକ୍ଷା ଓ ନିରାପତ୍ତା ପଦକ୍ଷେପ ଅଭାବରୁ ବିଶ୍ୱର ୧୧ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ କେବଳ ଭାରତରେ ହେଉଛି । ଉପଯୁକ୍ତ ସଡକ ସୁରକ୍ଷା ପଦକ୍ଷେପ ଯୋଗୁ ଦେଶରେ ହେଉଥିବା ଅନେକ ଗୁରୁତର ଦୁର୍ଘଟଣା ଓ ମୃତ୍ୟୁକୁ ଏଡାଇ ଦେଇ ହେବ । ଆସନ୍ତା ୨୦୩୦ସୁଦ୍ଧା ରାସ୍ତାରେ ଦୁର୍ଘଟଣାଜନିତ ମୃତ୍ୟୁକୁ ୫୦ପ୍ରତିଶତକୁ କମାଇବାକୁ ଜାତିସଂଘ ଲକ୍ଷ୍ୟ ରଖିଛି । ଏଥିପାଇଁ ଏକ ଦଶବର୍ଷିଆ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି । ଭାରତରେ ୨୦୨୫ ସୁଦ୍ଧା ଦୁର୍ଘଟଣାଜନିତ ମୃତ୍ୟୁକୁ ୫୦ପ୍ରତିଶତକୁ କମାଇବାକୁ ମନ୍ତ୍ରୀ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ, କେରଳ ଓ କର୍ଣ୍ଣାଟକରେ ଥିବା ରାଜପଥରେ ଥିବା ୧୫୦ରୁ ୨୫୦କିଲୋମିଟର ସର୍ବାଧିକ ଦୁର୍ଘଟଣାପ୍ରବଣ ଅଞ୍ଚଳରୁ ଦୁର୍ଘଟଣା କମାଇବାକୁ ଆଇଆରଏଫ୍-ଆଇସି ପ୍ରୟାସ କରୁଛି । ରାଜ୍ୟ ସରକାର ଓ ଅନ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ମିଶି ବିଭିନ୍ନ ପଦକ୍ଷେପ ଦ୍ୱାରା ରାସ୍ତାରୁ ସମସ୍ତ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ ପଦକ୍ଷେପ ନେଉଛି । ରୋଡ୍ ଇଞ୍ଜିନିୟରିଂ, ଏଜୁକେସନ୍, ଏନ୍ଫାର୍ସମେଂଟ ଓ ଏମର୍ଜେନ୍ସି କେୟାର ଦ୍ୱାରା ଏହି ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ ଚାଲିଛି ।
Powered by Froala Editor