ଜୀବନ ଯୁଦ୍ଧରେ ହାରିଗଲେ ପୂର୍ବତନ ଉପ-ବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ଦେହାନ୍ତ
ଭୁବନେଶ୍ବର: ଜୀବନ ଯୁଦ୍ଧରେ ହାରିଗଲେ ଓଡିଶା ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ପ୍ରହ୍ଲାଦ ଦୋରା । ଦୀର୍ଘଦିନ ଧରି ପ୍ରହ୍ଲାଦ ଦୋରା କର୍କଟ ରୋଗରେ ପୀଡିତ ହୋଇ ଅସୁସ୍ଥ ଥିଲେ ।
ପରେ କିଛି ଦିନ ତଳେ ମହାମାରୀ କୋଭିଡରେ ସଂକ୍ରମିତ ହୋଇଥିଲେ ପ୍ରହ୍ଲାଦ । ତେବେ ମହାମାରୀରେ ସଂକ୍ରମିତ ହେବା ପରେ ଉନ୍ନତ ଚିକିତ୍ସା ସେବା ପାଇଁ ତାଙ୍କୁ ଭୁବନେଶ୍ବର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କୁ ଇଣ୍ଟେନସିଭ କେୟାର ୟୁନିଟ(ଆଇସିୟୁ)ରେ ରଖି ଚିକିତ୍ସା କରାଯାଉଥିଲା ।ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ବେ ଆଜି ୭୪ ବର୍ଷ ବୟସରେ ଏହି ରାଜନେତାଙ୍କ ଦେହାନ୍ତ ହୋଇଛି । ପରିବାର ଲୋକଙ୍କ ସୂଚନା ଅନୁସାରେ ବୁଧବାର ସଂଧ୍ୟା ୫ ଟାରେ ତାଙ୍କର ଦେହାନ୍ତ ହୋଇଛି ।ଦିବଂଗତ ପ୍ରହ୍ଲାଦ ଦୋରା ମାଓ ଅଦ୍ୟୁଷିତ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଧାନସଭା ଆସନରୁ ୨ ଥର ବିଧାୟକ ହୋଇ ବିଧାନସଭାକୁ ଆସିଥିଲେ । ପ୍ରଥମେ ୧୯୯୦ମସିହା ଠାରୁ ୧୯୯୪ ଏବଂ ପରେ ୨୦୦୪ ଠାରୁ ୨୦୦୮ ପର୍ୟ୍ୟନ୍ତ ଓଡିଶା ବିଧାନସଭାର ସେ ଉପ-ବାଚସ୍ପତି ଭଳି ଦାୟିତ୍ବ ତୁଳାଇ ଥିଲେ ।
Powered by Froala Editor