ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ବନ୍ଦ ହେଲା ଚାରିଧାମ ଯାତ୍ରା
ନୈନିତାଲ ସମେତ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ହଠାତ୍ ଚାରଧାମ ଯାତ୍ରା ବନ୍ଦ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ୬୫ ଟି ରାସ୍ତା ବନ୍ଦ ହୋଇଯାଇଛି ଯେଉଁଥିପାଇଁ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି। କେଦାରନାଥରେ ସର୍ବାଧିକ ୨୭୦୦ ଯାତ୍ରୀ ଫସି ରହିଛନ୍ତି। ବଦ୍ରିନାଥରେ ଦୁଇ ହଜାର ଯାତ୍ରୀ ଏବଂ ଗଙ୍ଗୋତ୍ରୀରେ ୩୦୦ ଯାତ୍ରୀ ଫସି ରହିଛନ୍ତି। ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କୁ ଧାମରେ ହିଁ ରହିବାକୁ କୁହାଯାଇଛି। ଯାତ୍ରୀମାନଙ୍କୁ ପ୍ରଶାସନ ପ୍ରତ୍ୟେକ ସୁବିଧା ଯୋଗାଉଛି ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଧନ ସିଂହ ରାୱତ କହିଛନ୍ତି। ଯାତ୍ରୀମାନଙ୍କ ପାଇଁ ହୋଟେଲ ଏବଂ ଧର୍ମଶାଳାରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।
ଏପରିକି ନୈନିତାଲ ଜିଲ୍ଲାର ରାମଗଡର ଏକ ଗାଁରେ ଭୂସ୍ଖଳନ ହୋଇଛି। ଲୋକମାନେ ମାଟି ଅତଡା ତଳେ ଫସି ରହିଥିବାର ଆଶଙ୍କା କରାଯାଉଛି। ପୋଲିସ ଟିମ୍ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଂଚିଛନ୍ତି ବୋଲି ବୋଲି ଜଣାପଡ଼ିଛି। ନୈନିତାଲ ଏସଏସପିଙ୍କ କହିବା ଅନୁଯାୟୀ କିଛି ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି କିନ୍ତୁ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡି ନାହିଁ।
ଗୃହମନ୍ତ୍ରୀ ଅମିତ ଶାହା ଫୋନରେ କଥା ହୋଇ ଉତ୍ତରାଖଣ୍ଡ ବର୍ଷା ସ୍ଥିତି ପଚାରି ବୁଝିଛନ୍ତି। ପର୍ଯ୍ୟଟକଙ୍କ ଉପରେ ବିଶେଷ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାରେ ଫସି ରହିଥିବା ଲୋକଙ୍କୁ ଆବଶ୍ୟକ ପଡିଲେ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରିବାକୁ ମଧ୍ୟ କୁହାଯାଇଛି।
Powered by Froala Editor