ଜେଲରେ ବିସ୍କୁଟ ଖାଉଛନ୍ତି ଆର୍ୟନ

ମୁମ୍ବାଇ: ମୁମ୍ବାଇ କୋର୍ଡିଲିଆ ଜାହାଜରେ ଡ୍ରଗସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ୫ ଦିନ ହେବ ଆର୍ଥର ରୋଡ ଜେଲରେ ଅଛନ୍ତି । ମୁମ୍ବାଇର ମନ୍ନତ ମହଲରେ ସୌଖୀନ ଜୀବନ ବିତାଉଥିବା ଆର୍ୟନ ଜେଲ ମଧ୍ୟରେ ବନ୍ଦୀ ଜୀବନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଜେଲ ମଧ୍ୟକୁ ଯିବା ଦିନଠାରୁ ସେ କେବଳ ବିସ୍କୁଟ ଖାଉଛନ୍ତି । ଜେଲ କର୍ତ୍ତୃପକ୍ଷ ଦେଉଥିବା ଖାଦ୍ୟ ସେ ଗ୍ରହଣ କରୁନାହାନ୍ତି । ଖାଦ୍ୟ ଖାଇବାକୁ ତାଙ୍କର ଇଚ୍ଛା ନଥିବା କହୁଛନ୍ତି । ସେ କେବଳ ଜେଲ କ୍ୟାଣ୍ଟିନରେ ବିକ୍ରି ହେଉଥିବା ପାରଲେଜୀ ବିସ୍କୁଟ ଖାଉଛନ୍ତି ଏବଂ ଜେଲରେ ପ୍ରବେଶ କରିବା ପୂର୍ବରୁ ସାଙ୍ଗରେ ଧରି ଯାଇଥିବା ମିନେରାଲ ପାଣି ବୋତଲ ପିଉଛନ୍ତି । ଜେଲକୁ ସେ ୧୨ଟି ମିନେରାଲ ପାଣି ବୋତଲ ଧରି ଯାଇଥିଲେ । ଏବେ ସେଥିରୁ ମାତ୍ର ୩ଟି ବଳକା ଅଛି । ଜେଲ ନିୟମ ଅନୁଯାୟୀ, ଆର୍ୟନ ଜେଲରେ ପ୍ରବେଶ ପୂର୍ବରୁ ୨୫୦୦ ଟଙ୍କା ନେଇଯାଇଥିଲେ । ଏହି ଟଙ୍କାରେ ସେ କ୍ୟାଣ୍ଟିନରୁ ବିସ୍କୁଟ କିଣୁଛନ୍ତି । ସେ ରହୁଥିବା ଜେଲ କକ୍ଷ ସହ ଜେଲ କ୍ୟାଣ୍ଟିନ ଲାଗି ରହିଛି । ଏଣୁ ସେ କ୍ୟାଣ୍ଟିନରୁ ନିଜ ପାଇଁ ବିସ୍କୁଟ ଆଣୁଛନ୍ତି । ଆର୍ୟନ ଜେଲ ଯିବା ଦିନଠାରୁ ଗାଧୋଇ ନାହାନ୍ତି । ଜେଲ ଭିତରେ ସେ କାହା ସହ କଥାବାର୍ତ୍ତା କରୁନାହାନ୍ତି କେବଳ ଯିଏ ଯାହା ପଚାରୁଛି ତାର ଉତ୍ତର ଦେଇଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
Powered by Froala Editor