ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ହେଲେ ପିସିଆଇ ସଭ୍ୟ

ଭୁବନେଶ୍ୱର : ରାଜ୍ୟ ପାଇଁ ପୁଣି ଏକ ଗୌରବ ଆଣିଦେଇଛନ୍ତି ରାଜ୍ୟସଭା ସାଂସଦ ତଥା ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ତାଙ୍କୁ ପ୍ରେସ କାଉନସିଲ ଅଫ ଇଣ୍ଡିଆ (ପିସିଆଇ)ର ସଭ୍ୟ ଭାବେ ମନୋନୀତ କରିଛନ୍ତି । ଶ୍ରୀ ବୈଷ୍ଣବଙ୍କ ସହ ତେଲେଙ୍ଗାନାର ସାଂସଦ ଡକ୍ଟର କେ. କେଶବ ରାଓ ମଧ୍ୟ ମନୋନୀତ ହୋଇଛନ୍ତି । ଏସଂକ୍ରାନ୍ତରେ ରାଜ୍ୟସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନାରାୟଣ ବ୍ୟାସ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରୋନିକ ଏବଂ କମୁ୍ୟନିକେସନରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଶ୍ରୀ ବୈଷ୍ଣବ ୧୯୯୪ରେ ଆଇଏଏସ ପାଇଥିଲେ । ବାଲେଶ୍ୱର ଓ କଟକ ଜିଲ୍ଲାପାଳ ଭାବେ ସେ ବେଶ ସୁଖ୍ୟାତି ଅର୍ଜନ କରିଥିଲେ । ୧୯୯୯ ମହାବାତ୍ୟା ବେଳେ ସେ ମହାବାତ୍ୟାର ଗତିପଥ ସଂକ୍ରାନ୍ତୀୟ ତାଜା ସୂଚନା ପ୍ରଦାନ କରି ଅନେକ ଜୀବନ ବଂଚାଇବାରେ ସକ୍ଷମ ହୋଇପାରିଥିଲେ । ଅଟଳ ବିହାର ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଶ୍ରୀ ବୈଷ୍ଣବ ପିଏମଓର ଉପସଚିବ ଭାବେ କାର୍ଯ୍ୟ କରିଥିଲେ । ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ସେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ । ପରେ ସେ ବିଜେପିରେ ଯୋଗଦେବା ସହ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।
Powered by Froala Editor