କଂଗ୍ରେସରେ ଫାଟ ଅଛି: ତାରା
ଭୁବନେଶ୍ୱର: କନ୍ଦଳ ଯେମିତି କଂଗ୍ରେସର ପିଛା ଛାଡ଼ୁନାହିଁ । କଂଗ୍ରେସର କନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁ ଥିବାବେଳେ ଏହାରି ଭିତରେ ଏଣ୍ଟି୍ର ମାରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀ ପତି । ଶନିବାର ସେ କଂଗ୍ରେସ କନ୍ଦଳ ଓ ପିସିସି ପଦ ନେଇ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଇସ୍ତଫାକୁ ନେଇ ଯାହା ଡ୍ରାମା ଚାଲିଛି, ତାହା ବନ୍ଦ ହେବା ଉଚିତ । କଂଗ୍ରେସ ଦଳରେ ଫାଟ ଅଛି, ଏହା ଦ୍ୱାରା ଦଳରେ ହିଁ କ୍ଷତି ହେଉଛି । ବିଶୃଙ୍ଖଳାକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେବା ଦରକାର ବୋଲି ତାରା କହିଛନ୍ତି ।
ପ୍ରକାଶ ଯେ,ନିକଟରେ ପିସିସି ସଭାପତି ପଦରୁ ଇସ୍ତଫା ନେଇ ମୁହଁ ଖୋଲିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଥିଲେ. ପିସିସି ସଭାପତି ପଦ ଚିରସ୍ଥାୟୀ ନୁହେଁ । ପଦରେ ରହିବି ନା ନାହିଁ ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ପିପିଲି ଉପନିର୍ବାଚନ ପୂର୍ବରୁ ସେ ଚିଠି ଲେଖିଛନ୍ତି । ଏଆଇସିସି ନିଷ୍ପତ୍ତି ନ ନେଲା ଯାଏଁ ସେ ପଦରେ ଅଛନ୍ତି ବୋଲି ନିରଞ୍ଜନ କହିଥିଲେ । ବହୁତ ଦିନ ହେଲା ସେ ସଭାପତି ପଦରେ ରହିଲେଣି । ତାଙ୍କ ପରେ ମଧ୍ୟ ଦଳର ସଭାପତି ପଦ ସମ୍ଭାଳିବା ପାଇଁ ଅନେକ ଲୋକ ଅଛନ୍ତି । ଏନେଇ ଏଆଇସିସି ପଚାରିଲେ ସେ ଉତର ଦେବେ । ସଭାପତି ଥିଲା ଯାଏଁ ସେ କଂଗ୍ରେସ ଦୁର୍ବଳ ହେବାକୁ ଦେବେ ନାହିଁ ।
ତେବେ ଏ ନେଇ ଖୁବଶୀଘ୍ର ସ୍ଥିତି ସ୍ପଷ୍ଟ କରିବାକୁ ଦାବି କରିଥିଲେ କଂଗ୍ରେସ ନେତା ସୁର ରାଉତରାୟ । ଯଦି ନିରଞ୍ଜନ ଇସ୍ତଫା ଦେଇଛନ୍ତି ତେବେ ସ୍ପଷ୍ଟ କରନ୍ତୁ । ଲୁଚକାଳି ଖେଳ ବନ୍ଦ କରନ୍ତୁ ନିରଞ୍ଜନ । ଯଦି ରାହୁଲ ଓ ସୋନିଆ ଗାନ୍ଧୀ ନିରଞ୍ଜନଙ୍କୁ ସଭାପତି ପଦରେ ରଖିବା କଥା ରଖିବେ, ଯଦି କାଢିବା କଥା କାଢିବେ । କ’ଣ ପଦକ୍ଷେପ ନେବେ ସ୍ପଷ୍ଟ କରନ୍ତୁ । ଏମିତି ହେଲେ ଦଳର ଛବି ଖରାପ ହେଉଛି ।
ସେହିଭଳି କଂଗ୍ରେସ ନେତା ଶରତ ରାଉତ କହିଥିଲେ ମିଡିଆରେ ତ ଚର୍ଚ୍ଚା ହେଉଛି ହେଲେ ଇସ୍ତଫା ଦେଇଛନ୍ତି କି ନାହିଁ । ସେ କଥା କେବଳ ନିରଞ୍ଜନ ହିଁ କହି ପାରିବେ । ଦେବେ ନଦେବେ ସ୍ପଷ୍ଟ କରିବା ଦରକାର । ଏ ନାଟକ ବନ୍ଦ କରନ୍ତୁ । ଲୁଚଖେଳ ଖେଳିବା ଉଚିତ ନୁହେଁ କାହିଁକି ନା ଏହାର ଏକ ନେଗେଟିଭ୍ ପ୍ରଭାବ ପଡ଼ିବ କର୍ମୀଙ୍କ ଉପରେ, ଦଳର କ୍ଷତି ହେବ । ସଭାପତି ନହେଲେ ତାଙ୍କ ମିଡ଼ିଆ ଟିମ କିମ୍ଭା ମୁଖପାତ୍ର ସ୍ପଷ୍ଟ କରନ୍ତୁ । କର୍ମୀଙ୍କ ମନରେ ଅନିଶ୍ଚିତତା ଦଳର କ୍ଷତି କରୁଛି ।
Powered by Froala Editor