କୋଭିଡ ଦୁଃଖ, ରିକ୍ସାରେ ପୁଅର ଶବକୁ ବୋହିଲା ମା

ବାରଣାସୀ: ସମ୍ପ୍ରତି ଜାରି ରହିଥିବା କୋଭିଡ-୧୯ ର ସଂକ୍ରମଣ ବୃଦ୍ଧି ଦେଶରେ ଉପଲବ୍ଧ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଛାରଖାର କରି ଦେଇଛି । ଦିନକୁ ଦିନ ବଢ଼ି ଚାଲିଥିବା ସକି୍ରୟ ମାମଲା ଯୋଗୁଁ ଜଣେ ସଂକ୍ରମିତ ପାଇଁ ତ ରୋଗୀ ଶଯ୍ୟାର ଅଭାବ ଦେଖାଦେଇଛି । ଏଥିସହିତ ଅନ୍ୟ ଅଣକୋଭିଡ ଗୁରୁତର ରୋଗୀ ମଧ୍ୟ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇଛି । ଉତ୍ତରପ୍ରଦେଶ ବାରଣାସୀରେ ଗତ ସୋମବାର ଜଣେ ଯୁବକ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡ଼ି ଦଉଡ଼ି ଶେଷରେ ଚିକିତ୍ସା ସୁବିଧା ନ ପାଇ ଆଖି ବୁଜିବା ଘଟଣା ଆଲୋଡ଼ନ ଆଣିଦେଇଛି । ତେବେ ଦୁଃଖ ସେତିକିରେ ସରିନି: ଶବ ନେବା ପାଇଁ ଆମ୍ବୁଲାନ୍ସ କି ଶବବୁହା ଗାଡ଼ି ନ ମିଳିବାରୁ ମୃତକଙ୍କ ମାଆ ଏକ ଇ-ରିକ୍ସାରେ ଶବକୁ ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ଯୌନପୁରର ବିନୟ ସିଂହ କିଡନି ଜନିତ ଜରୁରୀକାଳୀନ ଚିକିତ୍ସା ପାଇଁ ବାରଣାସୀ ଆସିଥିଲେ । ପ୍ରଥମେ ସେ ବିଏଚୟୁ ସରକାରୀ ଡାକ୍ତରଖାନା ଯାଇଥିଲେ ହେଁ ସେଠାରେ ଅଣକୋଭିଡ ଶଯ୍ୟା ନଥିବାରୁ ତାଙ୍କୁ ଘରୋଇ ଡାକ୍ତରଖାନା ଯିବାକୁ ପଡ଼ିଥିଲା । ମାତ୍ର ସେଠାରେ ତାଙ୍କୁ ସମଦଶା ଭୋଗିବାକୁ ପଡ଼ିଥିଲା ଏବଂ ନିଜ ମାଆଙ୍କ ଆଖି ଆଗରେ ଚିକିତ୍ସା ଅଭାବରୁ ବିନୟଙ୍କର ଜୀବନ ଚାଲିଯାଇଥିଲା । ଘରକୁ ପୁଅର ଶବକୁ ନେବାକୁ ମାଆ ଚନ୍ଦ୍ରକଳା ଆମ୍ବୁଲାନ୍ସଟିଏ ଖୋଜିଲେ । ମାତ୍ର ତାହା ବି ମିଳିଲାନି । ଶେଷରେ ଏକ ଇ-ରିକ୍ସାରେ ଶବକୁ ଲଦି ସେ ଘରକୁ ଫେରିଥିଲେ ।
Powered by Froala Editor