ରସାୟନ ବିଜ୍ଞାନରେ ଦୁଇ ଜଣଙ୍କୁ ମିଳିବ ନୋବେଲ
୨୦୨୧ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ରସାୟନ ବିଜ୍ଞାନ ପାଇଁ ବୈଜ୍ଞାନିକ ବେଞ୍ଜାମିନ ଲିଷ୍ଟ ଏବଂ ଡେଭିଡ ଡବ୍ଳୁସି ମ୍ୟାକମିଲନଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବ। ଏନେଇ ଷ୍ଟକହୋମ ସ୍ଥିତ ନୋବେଲ କମିଟି ପକ୍ଷରୁ ଘୋଷଣା ହୋଇଛି। ଏହି ଦୁଇ ବୈଜ୍ଞାନିକଙ୍କୁ ‘ଆସିମେଟ୍ରିକ ଅର୍ଗାନୋକାଟାଲିସିସ’ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ଏହି ପୁରସ୍କାର ଦିଆଯିବ।
ମଲିକୁଲାର ନିର୍ମାଣ ପାଇଁ ଏକ ସଠିକ୍ ନୂତନ ଉପକରଣ ବିକଶିତ କରିଥିଲେ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନ। ଯାହା ଫାର୍ମାସ୍ୟୁଟିକାଲ୍ ଗବେଷଣା ଉପରେ ଅନେକ ପ୍ରଭାବ ପକାଇଥିଲା ଏବଂ ରସାୟନ ବିଜ୍ଞାନକୁ ଅନେକ କ୍ଷେତ୍ରରେ ସହଜ କରିଦେଇଥିଲା। ତେଣୁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳୁଛି।
ଜର୍ମାନ ବୈଜ୍ଞାନିକ ବେଞ୍ଜାମିନ୍ ଏବଂ ସ୍କଟିସ କେମିଷ୍ଟ ମ୍ୟାକମିଲନ ଉଭୟ ସ୍ୱତନ୍ତ୍ର ରୂପେ କାମ କରିଛନ୍ତି। ରସାୟନ ବିଜ୍ଞାନ ନୋବେଲ ସମିତିର ଜଣେ ସଦସ୍ୟ ପର୍ନିଲା ୱିଟଂଗ ଷ୍ଟାଫଶେଡ କହିଛନ୍ତି, ‘ଏହି ଦୁଇ ବୈଜ୍ଞାନିକଙ୍କ ଅନୁସନ୍ଧାନ ରସାୟନିକ ଅଣୁମାନଙ୍କୁ ଏକା ସହ କିଭଳି ରଖାଯାଏ, ସେ ବିଷୟରେ ଚିନ୍ତା କରିବା ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି। ଏହି ନୂଆ ଟୁଲବକ୍ସକୁ ଆଜି ବ୍ୟାପକ ରୂପେ ବ୍ୟବହାର କରାଯାଉଛି। ଏହା ମାନବ ଜାତିକୁ ଲାଭ ପହଞ୍ଚାଉଛି।’
ପ୍ରତିବର୍ଷ ସ୍ୱିଡେନର ଷ୍ଟକହୋମସ୍ଥିତ ରୟାଲ ସ୍ୱିଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ନୋବେଲ ପୁରସ୍କାର ଦିଆଯାଇଥାଏ। ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଗତ ୧୨୦ ବର୍ଷରେ ଏପର୍ଯ୍ୟନ୍ତ ମୋଟ ୧୮୬ ଜଣ ବୈଜ୍ଞାନିକ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ଅଛନ୍ତି।
Powered by Froala Editor