ଖେରି ହିଂସା : ସୀତାପୁର ଗେଷ୍ଟ ହାଉସ ଜେଲ୍ରେ ବନ୍ଦୀ ପ୍ରିୟଙ୍କା ଗାନ୍ଧୀ

ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାରେ ମୃତ୍ୟୁବରଣ କରିଥିବା ପୀଡିତଙ୍କ ପରିବାରକୁ ଭେଟିବାକୁ ଆସିଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଛି। ସୋମବାର ଭୋର ୪.୩୦ରେ ପୁଲିସ୍ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ବର୍ତ୍ତମାନ ଅସ୍ଥାୟୀ ଭାବେ ତାଙ୍କୁ ପୁଲିସ୍ ସୀତାପୁର ଗେଷ୍ଟ ହାଉସ ଜେଲ୍ରେ ରଖିଛି। ଏନେଇ ହରଗାଓଁର ଷ୍ଟେସନ ହାଉସ ଅଫିସର ସୂଚନା ଦେଇଛନ୍ତି।
ଅଫିସର କହିଛନ୍ତି, ତାଙ୍କୁ ଭୋର ସମୟରୁ ଗିରଫ କରାଯାଇଥିଲେ ମଧ୍ୟ ଏଯାଏ କୋର୍ଟ ଚାଲାଣ କରାଯାଇନାହିଁ। ଦୀର୍ଘ ୩୦ ଘଣ୍ଟାରୁ ଅଧିକ ସମୟ ହେଲା ପ୍ରିୟଙ୍କାଙ୍କୁ ଗେଷ୍ଟ ହାଉସରେ ବନ୍ଦୀ କରି ରଖାଯାଇଥିବା ସେ ସୂଚନା ଦେଇଛନ୍ତି।
ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାଁରେ ଆଇପିସିର ଧାରା ୧୫୧, ୧୦୭, ୧୧୬ ଅନୁଯାୟୀ ମାମଲା କରାଯାଇଛି। ତାଙ୍କୁ ଅକ୍ଟୋବର ୪ ତାରିଖ ଭୋର ୪.୩୦ରେ ଗିରଫ କରାଯାଇଥିଲା। ସେବେଠାରୁ ସେ ସୀତାପୁରର ସ୍ୱତନ୍ତ୍ର ଗେଷ୍ଟ ହାଉସରେ ବନ୍ଦୀ ଅଛନ୍ତି। ପ୍ରିୟଙ୍କାଙ୍କୁ ରଖିବା ପାଇଁ ପିଏସି ଗେଷ୍ଟ ହାଉସରେ ଅସ୍ଥାୟୀ ଜେଲ ତିଆରି କରାଯାଇଛି। ହାରଗାଓଁ ଏସଏଚ୍ଓ ଏ ସମ୍ପର୍କି ରିପୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁମତିକ୍ରମେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରବିବାର ଦିନ ଲଖିମପୁର ଖେରିରେ ହିଂସା ହେବା ପରେ ପ୍ରିୟଙ୍କା ଗାନ୍ଧୀ ସେହିଦିନ ରାତିରେ ଲକ୍ଷ୍ନୌରେ ପହଞ୍ଚିଥିଲେ। ହେଲେ ସୋମବାର ସକାଳେ ବାଟରେ ତାଙ୍କୁ ହରଗାଓଁ ପୁଲିସ ଅଟକାଇଥିଲା। ପ୍ରଥମେ ପ୍ରିୟଙ୍କାଙ୍କୁ ଅଟକ ରଖାଯାଇଥିବା କଥା ସାମ୍ନାକୁ ଆସିଥିବା ବେଳେ ଏବେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ଜାଣିବାକୁ ମିଳିଛି।
Powered by Froala Editor