ଦାଦା-ପୁତୁରା ବିବାଦ : ଦଳୀୟ ନାଁ, ଚିହ୍ନ ବଦଳାଇଲେ ନିର୍ବାଚନ କମିଶନ

ଏଲଜେପିର ଦଳୀୟ ଚିହ୍ନକୁ ନେଇ ବିବାଦ ହେବାରୁ ଏହାର ସମାଧାନ କରିଛନ୍ତି ନିର୍ବାଚନ କମିଶନ। ଉଭୟ ଗୋଷ୍ଠୀଙ୍କୁ ନିର୍ବାଚନ କମିଶନ ଦୁଇଟି ରାଜନୀତିକ ଦଳ ଭାବେ ମାନ୍ୟତା ଦେଇଛନ୍ତି। ଏଥିସହ ସେମାନଙ୍କୁ ଦୁଇଟି ଭିନ୍ନଭିନ୍ନ ନିର୍ବାଚନୀ ଚିହ୍ନ ମଧ୍ୟ ମିଳିଛି। ଏହା ସହିତ ପୁରୁଣା ନାମ ଏବଂ ନିର୍ବାଚନ ପ୍ରତୀକ ମଧ୍ୟ ରଦ୍ଦ ହୋଇଯାଇଛି | ବର୍ତ୍ତମାନ ଚିରାଗ ପାସୱାନଙ୍କ ନେତୃତ୍ୱରେ ଏହି ଦଳର ନାମ ଲୋକଜନଶକ୍ତି ପାର୍ଟି (ରାମବିଳାସ) ରଖାଯିବ। ଏହି ଦଳକୁ ହେଲିକପ୍ଟର ନିର୍ବାଚନ ପ୍ରତୀକ ବଣ୍ଟନ କରାଯାଇଛି। ତାଙ୍କ ଦାଦା ତଥା ରାମବିଳାସ ପାସୱାନଙ୍କ ଭାଇ ପଶୁପତି କୁମାର ପାରସଙ୍କ ଦଳର ନାମ ରାଷ୍ଟ୍ରୀୟ ଲୋକଜନଶକ୍ତି ପାର୍ଟି ହେବ। ଏହି ଦଳକୁ ସିଲେଇ ମେସିନ୍ ନିର୍ବାଚନ ପ୍ରତୀକ ଦିଆଯାଇଛି।
ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ଦଳୀୟ ଚିହ୍ନ ବଙ୍ଗଳା ଥିଲା। ଯାହାକୁ ଦୁଇ ଗୋଷ୍ଠୀଙ୍କ ବିବାଦ କାରଣରୁ ନିର୍ବାଚନ କମିଶନ ରଦ୍ଦ କରିଥିଲେ। ଆଜିର ନିଷ୍ପତ୍ତି ସମ୍ପର୍କରେ ନିର୍ବାଚନ କମିଶନ ବିହାର ନିର୍ବାଚନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି, ରିଟର୍ଣ୍ଣିଂ ଅଫିସର ତୁରନ୍ତ ଉପ ନିର୍ବାଚନରେ ଉଭୟ ଗୋଷ୍ଠୀର ନେତାଙ୍କୁ ଆଞ୍ଚଳିକ ଦଳର ପ୍ରାର୍ଥୀ ଭାବେ ସୂଚିତ କରିବେ।
ଏହାର ଅର୍ଥ ପ୍ରଥମଥର ପାଇଁ ଉପ ନିର୍ବାଚନରେ ଚିରାଗ ତାଙ୍କ ଦାଦା ପଶୁପତିଙ୍କ ସହ ଲଢ଼େଇ କରିବେ। ଗତବର୍ଷ ଲୋକ ଜନଶକ୍ତି ପାର୍ଟିର ସୁପ୍ରିମୋ ରାମ ବିଲାସ ପାଶ୍ୱାନଙ୍କ ଦେହାନ୍ତ ପରେ ଦଳକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚିରାଗ ଓ ପଶୁପତିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ବିବାଦର ସମାଧାନ ପାଇଁ ଉଭୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।
Powered by Froala Editor