ବଢ଼ିଲା ଅଟୋ ରିକ୍ସା ଭଡ଼ା
ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଓ କୋଭିଡ ପାଇଁ ମାତ୍ର ୨ ଜଣ ଯାତ୍ରୀ ପରିବହନକୁ ଦୃଷ୍ଟିରେ ରଖି ରାଜଧାନୀ ଅଟୋରିକ୍ସା ମହାସଂଘ ଦରବୃଦ୍ଧି କରିଛି । ମହାସଂଘର ନିଷ୍ପତ୍ତି ଅନୁସାରେ, ସର୍ବନିମ୍ନ ୩ କିଲୋମିଟର ପାଇଁ ଯାତ୍ରୀ ପିଛା ୨୦ ଟଙ୍କା ଓ ତାଠାରୁ ଅଧିକ ହେଲେ ୧ କିଲୋମିଟର ପାଇଁ ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି । ରିଜର୍ଭେସନ ପାଇଁ ମଧ୍ୟ ୩ କିଲୋମିଟରକୁ ଯାତ୍ରୀ ପିଛା ୫୦ ଟଙ୍କା ଓ ତା ଠାରୁ ଅଧିକ ହେଲେ ୧ କିଲୋମିଟର ପାଇଁ ୧୫ ଟଙ୍କା ଧାର୍ଯ୍ୟ କରାଯାଇଛି । ମହାସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ପଟ୍ଟନାୟକ ଏକପ୍ରେସ ବିବୃତିରେ ଏହି ସୂଚନା ଦେଇଛନ୍ତି । ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ଦୃଷ୍ଟିକୁ ରଖି ଦୀର୍ଘ ବର୍ଷ ହେଲା ଅଟୋରିକ୍ସା ଯାତ୍ରୀ ପରିବହନ ଦରବୃଦ୍ଧି ପାଇଁ ମହାସଂଘ ଦାବି କରି ଆସୁଛି । କିନ୍ତୁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏ ନେଇ ନିରବ ରହି ଆସିଛି । ୨୦୦୫ ମସିହା ପରେ ଆଉ ଦରଧାର୍ଯ୍ୟ ହୋଇନାହିଁ । ଫଳରେ ଅଟୋ ରିକ୍ସା ଚାଳକ ମାନେ ବିନା ଦରଧାର୍ଯ୍ୟରେ ଅଟୋ ଚାଳନା କରୁଛନ୍ତି ।
Powered by Froala Editor