ଜିନ୍ନାଙ୍କ ପ୍ରତିମୂର୍ତ୍ତି ଉଡାଇଦେଲେ ଆତଙ୍କବାଦୀ
ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ଗୋଟିଏ ପ୍ରତିମୂର୍ତ୍ତିକୁ ଆତଙ୍କବାଦୀମାନେ ବୋମା ପକାଇ ଧ୍ୱଂସ କରି ଦେଇଛନ୍ତି। ପାକିସ୍ତାନରେ ନିଷିଦ୍ଧ ହୋଇଥିବା ବାଲୁଚ ଲିବରେସନ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ପାକିସ୍ତାନର ବାଲୋଚିସ୍ତାନ ଅନ୍ତର୍ଗତ ଗୱାଦରରେ ଜିନ୍ନାଙ୍କ ଏହି ପ୍ରତିମୂର୍ତ୍ତିଟି ରହିଥିଲା।
ସୂଚନା ଥାଉ କି ଯେ ଚୀନ୍ ଭଳି ପାକିସ୍ତାନ ପାଇଁ ମଧ୍ୟ ଏହି ସହର ଗୁରୁତ୍ୱପୂର୍ଣ୍ଣ। ଚଳିତ ବର୍ଷ ଆରମ୍ଭରେ ଗୱାଦରର ମେରାଇନ୍ ଡ୍ରାଇଭରେ ଜିନ୍ନାଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିଲା । ଏହି ଅଞ୍ଚଳଟି ଏକ ସୁରକ୍ଷିତ ଅଞ୍ଚଳ ଭାବରେ ବେଶ ପରିଚିତ । କିନ୍ତୁ ରବିବାର ଆତଙ୍କବାଦୀମାନେ ବୋମା ଖଞ୍ଜି ପ୍ରତିମୂର୍ତ୍ତିଟିକୁ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ବିସ୍ଫୋରଣ ଯୋଗୁ ପ୍ରତିମୂର୍ତ୍ତିଟି ସଂପୂର୍ଣ୍ଣ ମାଟିରେ ମିଶି ଯାଇଛି। ଗୱାଦର ଡେପୁଟି କମିଶନର ମେଜର(ଅବସରପ୍ରାପ୍ତ) ଅବଦୁଲ କବିର ଖାନ ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା କହିଛନ୍ତି। ଡେପୁଟି କମିଶନର ମେଜର କହିଛନ୍ତି ଯେ ଏହି ଘଟଣାର ଅନୁସନ୍ଧାନ କରାଯାଉଛି।
ଯେଉଁମାନେ ବିସ୍ଫୋରକ ଲଗାଇ ଜିନ୍ନାଙ୍କ ପ୍ରତିମୂର୍ତ୍ତିକୁ ନଷ୍ଟ କରିଥିଲେ ସେମାନେ ପର୍ଯ୍ୟଟକ ଭାବରେ ଏହି ଅଞ୍ଚଳରେ ପ୍ରବେଶ କରିଥିଲେ। ଏହାପରେ ସେମାନେ ପ୍ରତିମୂର୍ତ୍ତି ନିକଟରେ ବିସ୍ଫୋରକ ଖଞ୍ଜି ଫେରାର ହୋଇଯାଇଥିଲେ। ଏଯାଏ ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ। କିନ୍ତୁ ଦିନେ ଦୁଇ ଦିନ ମଧ୍ୟରେ ଘଟଣାର ତଦନ୍ତ ସରିବ। ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି ଓ ଖୁବଶୀଘ୍ର ଦୋଷୀଙ୍କୁ ଧରାଯିବ ବୋଲି ସେ କହିଛନ୍ତି।
Powered by Froala Editor