ଜାତିସଂଘରେ ଇମ୍ରାନଙ୍କ ଭାଷଣର କଡ଼ା ଜବାବ ଦେଇ ଚର୍ଚ୍ଚାରେ ସ୍ନେହା ଦୁବେ
ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରି କାଶ୍ମୀର ପ୍ରସଙ୍ଗ ଉଠାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଷଣ ଉପରେ ଭାରତ ଜବାବ ଦେଇଛି । ଜାତିସଂଘରେ ଏହାର ଦମଦାର ଜବାବ ଦେଇଛନ୍ତି ଜାତିସଂଘ ସାଧାରଣ ପରିଷଦରେ ଥିବା ଭାରତର ପ୍ରଥମ ସଚିବ ସ୍ନେହା ଦୁବେ। ସ୍ନେହାଙ୍କ ଏଭଳି ଜବାବ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। ସେ କହିଥିଲେ ଯେ ପାକିସ୍ତାନରେ ଆତଙ୍କବାଦୀମାନେ ଆନନ୍ଦରେ ଚଳପ୍ରଚଳ କରୁଛନ୍ତି । ୟୁଏନର ସଦସ୍ୟ ଦେଶ ଜାଣିଛନ୍ତି ଯେ, ପାକିସ୍ତାନର ଇତିହାସ ଆତଙ୍କବାଦୀଙ୍କୁ ପାଳନ କରିବା । ମିଳିତ ଜାତିସଂଘରେ ତାଙ୍କର ଏହି ଭାଷଣ ସୋସିଆଲ ମିଡିଆରେ ପ୍ରକାଶ ପାଇବା ମାତ୍ରେ ଅନେକ ବ୍ୟବହାରକାରୀ ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ, ଇମ୍ରାନ ଖାନ ଜାତିସଂଘ ସାଧାରଣ ଆସେମ୍ୱ୍ଲିରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଭାରତ ବେଆଇନ ଭାବେ କଶ୍ମୀରରେ ନିଜ ହକୁମାତି ଚଳାଉଛି ଓ ଲୋକଙ୍କ ମାନବାଧିକାର କ୍ଷୁଣ୍ଣ କରୁଛି ବୋଲି ସେ ସାରା ବିଶ୍ୱକୁ ଜଣାଇବାକୁ ଚେଷ୍ଟା କରିଥିଲେ। ତେବେ ରାଇଟ୍ ଟୁ ରିପ୍ଲାଏ ଜରିଆରେ ସ୍ନେହା ଏହାର ଜବାବ ଦେଇଥିଲେ।
ସ୍ନେହା ଦୁବେ କିଏ?
ସ୍ନେହା ହେଉଛନ୍ତି ୨୦୧୨ ଆଇଏଫଏସ ବ୍ୟାଚ୍ର ଅଧିକାରୀ। ସେ ପ୍ରଥମ ପ୍ରୟାସରେ ହିଁ ୟୁପିଏସ୍ସି କ୍ଲିୟର କରିଥିଲେ। ଆଇଏଫଏସ ହେବା ପରେ ସେ ପ୍ରଥମେ ବୈଦେଶିକ ମନ୍ତ୍ରଣାଳୟରେ ନିଯୁକ୍ତି ପାଇଥିଲେ।୨୦୧୪ରେ ସେ ମାଦ୍ରିଦରେ ଥିବା ଭାରତୀୟ ଦୂତାବାସରେ ସ୍ନେହା ତୃତୀୟ ସଚିବ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେ ଜାତିସଂଘ ସାଧାରଣ ପରିଷଦରେ ଭାରତ ପ୍ରଥମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସ୍ନେହା ଗୋଆରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ପୁଣେର ଫର୍ଗୁସନ କଲେଜରୁ ଗ୍ରାଜ୍ୟୁଏସନ ଡିଗ୍ରୀ ହାସଲ କରିଥିଲେ। ସେ ତାଙ୍କ ପରିବାର ପ୍ରଥମ ପ୍ରଶାସନିକ ସେବାରେ କାର୍ଯ୍ୟ କରୁଥିବା ସଦସ୍ୟ।
Powered by Froala Editor