କ୍ୟାବିନେଟ୍ ପାଇଁ ନାଁ ଚୂଡାନ୍ତ କଲେ ଚନ୍ନି, ଆସିପାରନ୍ତି ନୂଆ ଚେହେରା
ଅମରିନ୍ଦରଙ୍କ ପରେ ପଞ୍ଜାବର ନୂଆ ମୁଖିଆ ହୋଇଛନ୍ତି ଚରଣଜିତ ସିଂହ ଚନ୍ନି। ଏବେ ପାଳି ପଡିଛି ମନ୍ତ୍ରିମଣ୍ଡଳ ଅଦଳବଦଳର। ରାହୁଲ୍ ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ କ୍ୟାବିନେଟ୍ ନିମନ୍ତେ ନାମ ତାଲିକା ଚୂଡ଼ାନ୍ତ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଚନ୍ନିଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସୂଚନା ଗୋପନୀୟ ରଖାଯାଇଛି। ତେବେ ୭ ଜଣ ନୂଆମନ୍ତ୍ରୀ ସାମିଲ ହୋଇପାରନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।
ପ୍ରଦେଶ କଂଗ୍ରେସ ସଭାପତି ନଭଜ୍ୟୋତ ସିଂ ସିଦ୍ଧୁ, ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱା ଓ ଗୋପୀ ସୋନୀଙ୍କ ଉପସ୍ଥିତିରେ ମନ୍ତ୍ରୀମଣ୍ଡଳ ଚୂଡାନ୍ତ ହୋଇଥିଲା। ଏଥିରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମନ୍ତ୍ରୀମଣ୍ଡଳର ୫ ମନ୍ତ୍ରୀ ହୁଏତ ବାଦ ପଡିଥାଇପାରନ୍ତି ଓ ୭ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଥାଇପାରେ ବୋଲି ଆକଳନ କରାଯାଉଛି। ଯେଉଁ ନୂଆମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ପରଗଟ ସିଂହ, ଅମରିନ୍ଦର ସିଂହ ରାଜା ଓ ସଙ୍ଗତ ସିଂହ ଗିଲଜିଆଙ୍କ ନାମ ସର୍ବାଗ୍ରେ ଥିବାର ଚର୍ଚ୍ଚା ହେଉଛି।
ସୂଚନା ଯୋଗ୍ୟ ଯେ, ରବିବାର ଦିନ ପଞ୍ଜାବ କ୍ୟାବିନେଟ ବିସ୍ତାର ହେବ। ନୂଆ ମନ୍ତ୍ରୀମାନଙ୍କ ଏହି ଦିନ ହିଁ ଶପଥ ଗ୍ରହଣ ସମାରୋହ ହେବାର ସମ୍ଭାବନା ରହିଛି। ନୂଆ କ୍ୟାବିନେଟରେ ସାମିଲ ହେବାକୁ ଥିବା ଚେହେରା ଉପରେ ପାର୍ଟି ହାଇକମାଣ୍ଡ ମୋହର ମାରିଛନ୍ତି। ଚନ୍ନି ଦିଲ୍ଲୀରୁ ଫେରିବାର କିଛି ଘଣ୍ଟା ପରେ ଏହି ଚର୍ଚ୍ଚା ହେଉଛି।
Powered by Froala Editor