ହୀରା କମ୍ପାନୀର ୨୩ ସ୍ଥାନରେ ସିବିଆଇ ଚଢ଼ଉ
![ହୀରା କମ୍ପାନୀର ୨୩ ସ୍ଥାନରେ ସିବିଆଇ ଚଢ଼ଉ](https://odishanewslens.com/news_gallery/6391_1632596993.jpg)
ଗୁଜରାଟର ଗୋଟିଏ ହୀରା ତିଆରି ଓ ରାପ୍ତାନୀ କରୁଥିବା ସଂସ୍ଥାର ୨୩ଟି ସ୍ଥାନରେ ଆୟକର ବିଭାଗ ରେଡ୍ କରିଛି। ସେପ୍ଟେମ୍ବର ୨୨ରୁ ୨୩ଟି ସ୍ଥାନରେ ରେଡ ଆରମ୍ଭ ହୋଇଛି। ସିବିଡିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହିସାବ ବାହାରେ କମ୍ପାନୀ ହୀରା କିଣିଛି। ବିନା ହିସାବରେ ପ୍ରାୟ ୫୧୮ କୋଟି ଟଙ୍କାର ଛୋଟ ପଲିସଡ ହୀରା ନିର୍ଦ୍ଦିଷ୍ଟ କିଛି ସମୟ ସୀମା ମଧ୍ୟରେ ବିକ୍ରି କରିଛି। ଏହାକୁ ଲୁଚାଇ କମ୍ପାନୀ କୋଟି କୋଟି ଟଙ୍କାର ଟିକସ ଫାଙ୍କିଛି।
ରେଡ୍ ବେଳେ କମ୍ପାନୀ ପାଖରୁ ହିସାବ ବାହାରେ ଥିବା ୧.୯୫ କୋଟିର ନଗଦ ଟଙ୍କା ଓ ଅଳଙ୍କାର ଜବତ କରାଯାଇଛି। ସେହିପରି ଗୁପ୍ତ ଭାବେ ରଖାଯାଇଥିବା ୧୦.୯୮ କୋଟି ଟଙ୍କାର ହୀରା ମଧ୍ୟ ମିଳିଛି। ଗ୍ରୁପ ସଦସ୍ୟଙ୍କ ମାଲିକାନାରେ ଥିବା ବିପୁଳ ପରିମାଣର ଲକରକୁ ମଧ୍ୟ ଚିହ୍ନଟ କରାଯାଇଛି। ଗତ ୨ ବର୍ଷ ମଧ୍ୟରେ କମ୍ପାନୀ ୧୮୯ କୋଟି ଟଙ୍କାର ହୀରା କିଣିଥିବା ବେଳେ ୧୦୪୦ କୋଟି ଟଙ୍କାର ହୀରା ବିକ୍ରି କରିଛି। କିନ୍ତୁ କମ୍ପାନୀ ଏହାର ହିସାବ ଦେଇନାହିଁ।
ହୀରା ବ୍ୟବସାୟ ସହ କମ୍ପାନୀ ଟାଇଲ୍ସ ଉତ୍ପାଦନ ମଧ୍ୟ କରିଥାଏ। ସୁରତ, ନଭସାରି, ମୋରବି ଭଳି ସ୍ଥାନରେ ଏହି ଟାଇଲ୍ସ ବ୍ୟବସାୟ ଚାଲିଛି। ଏହି ବ୍ୟବସାୟ ସହ ଜଡ଼ିତ ୮୦ କୋଟି ଟଙ୍କା ବେଆଇନ ଭାବେ ଠୁଳ କରାଯାଇଥିବା ଜଣାପଡ଼ିଛି।
Powered by Froala Editor