ଭିନ୍ନକ୍ଷମ ହୋଇ ବି ସକ୍ଷମ : ହାତରେ ଦୌଡି ଗିନିଜ ରେକର୍ଡ
ଭିନ୍ନକ୍ଷମ ହୋଇ ବି ବିଶ୍ୱ ରେକର୍ଡ କରିଛନ୍ତି ଜିଅନ କ୍ଲାର୍କ । ନିଜ ଦୁଇ ହାତକୁ ବ୍ୟବହାର କରି ସେ ଦୌଡିବା ସହିତ ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି। ୨୩ ବର୍ଷୀୟ କ୍ଲାର୍କ ଏଭଳି ରେକର୍ଡ ସୃଷ୍ଟି କରି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସେ ୨୦ ମିଟର ଦୂରତାକୁ ହାତରେ ଦୌଡି ୪.୭୬ ସେକେଣ୍ଡରେ ଅତିକ୍ରମ କରିବା ସହିତ ବିରଳ ସଫଳତାର ଅଧିକାରୀ ହୋଇଛନ୍ତି। ଏଥିପାଇଁ ତାଙ୍କ ନାମ ଗିନିଜ ବୁକ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛି। ଯେଉଁମାନେ ଭିନ୍ନକ୍ଷମ, ସେମାନେ ହାରିନଯାଇ ଦୃଢ ଆତ୍ମବିଶ୍ୱାସର ସହିତ ଆଗକୁ ବଢିବା ଆବଶ୍ୟକ ବୋଲି ଜିଅନ କହିଛନ୍ତି।
ଆମେରିକାର ଓହିଓରେ ବାସ କରୁଥିବା ଜିଅନ କ୍ଲାର୍କଙ୍କ ଜନ୍ମ ସମୟରୁ ଦୁଇଟିଯାକ ଗୋଡ ନଥିଲା। ସେ ଗର୍ଭରେ ଥିବାବେଳେ ଏଭଳି ଏକ ବିରଳ ରୋଗର ଶିକାର ହୋଇଥିଲେ, ଯେଉଁଥିରେ ଶରୀରର ନିମ୍ନ ଭାଗରେ ଅସ୍ଥିଗୁଡିକ ତିଆରି ହୋଇନଥାଏ। ତେବେ ଜନ୍ମହେବା ପରେ ସେ ନିଜକୁ କେବେହେଲେ ଭିନ୍ନକ୍ଷମ ବୋଲି ଭାବିନଥିଲେ। ସ୍କୁଲରେ ପାଠ ପଢିବା ସମୟରେ ସେ କୁସ୍ତି କରୁଥିଲେ ଏବଂ କ୍ରୀଡା ପ୍ରତି ତାଙ୍କର ରୁଚି ରହିଥିଲା। ୨୦୨୧ ଫେବ୍ରୁଆରୀ ମାସରେ ହାତରେ ଦୌଡି ନୂଆ ରେକର୍ଡ ସ୍ଥାପନ ପାଇଁ ପ୍ରଥମ ପ୍ରୟାସ କରିଥିଲେ। ଓହିଓସ୍ଥିତ ମାସିଲିଅନ ସ୍କୁଲରେ ସେ ଏଥିପାଇଁ ଚେଷ୍ଟା କରିଥିଲେ। ସେଠାରେ ସେ ରେକର୍ଡ ସମୟରେ ଦୂରତା ଅତିକ୍ରମ କରିପାରିଥିଲେ।
Powered by Froala Editor