ଆମେରିକା ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ
କ୍ୱାଡ ଶିଖର ସମ୍ମିଳନୀ ପୂର୍ବରୁ ଗତକାଲି ହ୍ୱାଇଟ୍ ହାଉସରେ ମୋଦି-ବାଇଡେନ ଭେଟ ହୋଇଥିଲେ । ପ୍ରାୟ ୫୭ ମିନିଟ ଧରି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଜଳବାୟୁ ପରିବର୍ତ୍ତନ, କୋଭିଡ-୧୯ ଓ କ୍ୱାଡ ପ୍ରସଙ୍ଗରେ ବାଇଡେନ ନେଇଥିବା ପଦକ୍ଷପକୁ ମୋଦି ପ୍ରଶଂସା କରିଥିଲେ । ଗଣତନ୍ତ୍ରର ମୂଲ୍ୟବୋଧ ରକ୍ଷା ପାଇଁ ଦୁଇ ଦେଶ ହେଲେ ପ୍ରତିବଦ୍ଧ ।
ଆମେରିକା ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ଏଭଳି କିଛି ଢଙ୍ଗରେ ଭାରତ ପ୍ରତି ଥିବା ସମ୍ପର୍କର ଗଭୀରତାକୁ ବଖାଣିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ମୋଦିଙ୍କୁ ବହୁ ଦିନରୁ ଜାଣିଥିବା ସେ କହିଥିଲେ । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କିଭଳି ଆହୁରି ମଜବୁତ ହେବ ସେ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ଆତଙ୍କବାଦ ଓ ଆଫଗାନିସ୍ତାନରେ ତାଲିବାନ ଶାସନକୁ ନେଇ ବାଇଡେନଙ୍କ ସହ ଆଲୋଚନା କରିଥିଲେ ନରେନ୍ଦ୍ର ମୋଦି ।
ଏଥିସହ ବୈଠକରେ ଚୀନ ଓ ପାକିସ୍ତାନ ପ୍ରସଙ୍ଗ ମଧ୍ୟ ଉଠିଥିଲା । ୨୦୧୪ ଏବଂ ୨୦୧୬ରେ ବାଇଡେନଙ୍କୁ ଭେଟିଥିବା କହିଥିଲେ ମୋଦି । ସେତେବେଳେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କକୁ ନେଇ ଭିଜନ ରହିଥିଲା । ଆଉ ଆଜି ରାଷ୍ଟ୍ରପତି ଭାବେ ବାଇଡେନ ଯେଉଁ ହାତ ବଢାଇଛନ୍ତି ତାକୁ ସ୍ୱାଗତ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତ-ଆମେରିକା ମଧ୍ୟରେ ପୂର୍ବରୁ ବ୍ୟବସାୟିକ କାରବାର ବେଶ ସକାରାତ୍ମକ ରହି ଆସିଛି ଏବଂ ଆଗକୁ ମଧ୍ୟ ଏହା ଗତିଶୀଳ ରହିବ ବୋଲି ସେ କହିଛନ୍ତି ।
Powered by Froala Editor