ଦିଲ୍ଲୀରେ ଲକଡାଉନ ଘୋଷଣା
ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ହେଉଛି କରୋନା ସ୍ଥିତି । ଯାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଲକଡାଉନ ଘୋଷଣା କରିଛନ୍ତି । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ଯାଏ ଲକଡାଉନ ଘୋଷଣା କରାଯାଇଛି । ୬ ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି କେଜ୍ରିୱାଲ । କରୋନା ସଂକ୍ରମଣ ଅସମ୍ଭାଳ ହେବାରୁ ସରକାରଙ୍କ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି ।
ଲକଡାଉନ ଘୋଷଣା ଅବସରରେ କେଜ୍ରିୱାଲ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଦିଲ୍ଲୀରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୀମା ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଏବେ ଦୈନିକ ହାରାହାରି ୨୫ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏବେ ବେଡ ସବୁ ଭର୍ତ୍ତି ହୋଇଯାଇଛି । ତେବେ ଲକଡାଉନ ସମୟରେ ଦିଲ୍ଲୀ ଛାଡ଼ିନଯିବାକୁ କେଜ୍ରିୱାଲ ଲୋକଙ୍କୁ ଅପିଲ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀରେ ଗତ ୨ ଦିନରେ ୫୦ ହଜାରରୁ ଅଧିକ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିଲ୍ଲୀରେ ଗତ ଦୁଇ ଦିନରେ ୩୩୦ରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡ ଉପଲବ୍ଧ ହୋଇପାରୁନି । ଦିଲ୍ଲୀରେ ପରିସ୍ଥିତି ଏପରି ହୋଇଛି କରୋନା ଆକ୍ରାନ୍ତଙ୍କୁ କେଉଁଠି ବେଡ୍ ମିଳୁନି ତ ଆଉ କେଉଁଠି ଅକ୍ସିଜେନ ମିଳୁନଥିବା ଖବର ଆସୁଛି । ସୂଚନା ଅନୁଯାୟୀ ଦିଲ୍ଲୀରେ ୧୮ ହଜାର ବେଡ ରହିଛି, ସେଥିରୁ ଏବେ ୧୫ ହଜାର ବେଡ୍ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ୪୨୦୧ ଆଇସିୟୁ ବେଡ୍ ରହିଛି, ସେଥିରୁ ୪୧୦୫ ବେଡ୍ରେ ରୋଗୀ ଚିକିତ୍ସତ ହେଉଛନ୍ତି । ଅର୍ଥାତ ଆଉ ମାତ୍ର ୧୦ଟି ଆଇସିୟୁ ବେଡ୍ ଖାଲି ରହିଛି ।