ଏବର୍ଷ ବି ଛାତ୍ରସଂସଦ ନିର୍ବାଚନ ବାତିଲ

ଭୁବନେଶ୍ୱର : ଏଥର ବି ଛାତ୍ରନେତାମାନଙ୍କୁ ନିରାଶ ହେବାକୁ ପଡ଼ିବ । କ୍ୟାମ୍ପସରେ ବାଜିମାତ କରି ସେମାନେ ରାଜନୀତିରେ ନିଜର ପତିଆରା ଜମାଇବା ପାଇଁ ଯେଉଁ ଆଶା ରଖିଛନ୍ତି ତାହା ମିଳେଇଯିବ । କାହିଁକିନା ଏବର୍ଷ ବି ଛାତ୍ରସଂସଦ ନିର୍ବାଚନ ବାତିଲ ହେବ । ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଥିବାବେଳେ ପାଠପଢ଼ା ସ୍ୱାଭାବିକ ସ୍ଥିତିକୁ ଫେରିନାହିଁ । ଏସବୁକୁ ବିଚାରକୁ ନେଇ ବିଶ୍ୱବିଦ୍ୟାଳୟ ଓ କଲେଜ କ୍ୟାମ୍ପସରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ଏନେଇ ବିଧିବଦ୍ଧ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇନଥିଲେବି ଛାତ୍ର ନିର୍ବାଚନ ବନ୍ଦ ହେବା ନିଶ୍ଚିତ ବୋଲି ଜାଣିବାକୁ ମିଳିଛି ।
ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବର୍ତମାନ ପରିସ୍ଥିତିରେ ଛାତ୍ର ସଂସଦ ନିର୍ବାଚନ କଥା ଆମେ ଆଦୌ ଚିନ୍ତା କରିନାହୁଁ ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ମତପ୍ରକାଶ କରିଛନ୍ତି । କରୋନା ସଂକ୍ରମଣ ଯୋଗୁଁ ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଶିକ୍ଷାବର୍ଷ ଠିକ ଭାବେ ଚାଲି ପାରିନାହିଁ । ଏ ପର୍ଯ୍ୟନ୍ତ ଯୁକ୍ତ ୩ ଓ ପିଜି ପାଠ୍ୟକ୍ରମର ପ୍ରଥମ ସେମିଷ୍ଟର ପରୀକ୍ଷା ବି ହୋଇପାରିନାହିଁ । କରୋନାକୁ ନଜରରେ ରଖି ଅଫଲାଇନ ବଦଳରେ ଅନଲାଇନରେ ସେମିଷ୍ଟର ପରୀକ୍ଷା କରାଇବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ କୁହାଯାଇଛି । କ୍ଲାସରୁମ ପାଠପଢ଼ା ହେଉଥିଲେ ମଧ୍ୟ କରୋନା ଭୟରେ ଅଧିକାଂଶ ପିଲା ଆସୁନାହାନ୍ତି । ଯେତିକି ପିଲା ଆସୁଛନ୍ତି, ସେମାନଙ୍କୁ ନେଇ କ୍ଲାସ ହେଉଛି । ଏଭଳି ସମୟରେ ଛାତ୍ର ସଂସଦ ନିର୍ବାଚନ କରିବା ଆଦୌ ସମ୍ଭବପର ନୁହେଁ । ୨୦୨୨ରେ ବି ଛାତ୍ର ସଂସଦ ନିର୍ବାଚନ କରିବା ସପକ୍ଷରେ ଉଚ୍ଚଶିକ୍ଷା ବିଭାଗ ନାହିଁ । ଶିକ୍ଷାବର୍ଷର ପାଠପଢ଼ା ଏବେ ବହୁ ପଛରେ ରହିଛି । ଆସନ୍ତା ଶିକ୍ଷାବର୍ଷ ବି ଏଭଳି ଭାବେ ବିଳମ୍ବିତ ହେବା ନେଇ ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ, ଏହାକୁ ମିଶାଇ ଲଗାତାର ୪ର୍ଥ ବର୍ଷ ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଛି । ୨୦୧୮ରେ ବାତ୍ୟା ‘ତିତିଲି’ ପାଇଁ ଅଧାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିଲା । ନିର୍ବାଚନ ଯୋଗୁଁ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେଉଥିବା ନେଇ ୨୦୧୯ରେ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରି କଲେଜ, ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନେ ମତ ପ୍ରକାଶ କରିବା ପରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ସ୍ଥିର ହୋଇଥିଲା । ୨୦୨୦ ତଥା ଗତବର୍ଷ କରୋନା ଯୋଗୁଁ କ୍ୟାମ୍ପସ ହିଁ ଆଦୌ ଖୋଲିପାରି ନ ଥିଲା । ଆଉ ଏଥର ମଧ୍ୟ ସମାନ ସ୍ଥିତି ଲାଗି ରହିଥିବାରୁ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ନିଷ୍ପତ୍ତି ହୋଇଛି ।
Powered by Froala Editor