୪୫ ଦିନ ବିଳମ୍ବରେ ଯିବ ମୌସୁମୀ

ଭୁବନେଶ୍ବର : ଓଡ଼ିଶାରୁ ପ୍ରାୟ ୪୫ ଦିନ ବିଳମ୍ବରେ ଅର୍ଥାତ୍ ଡିସେମ୍ବର ପହିଲା ବେଳକୁ ଓଡ଼ିଶାରୁ ବିଦାୟ ନେବ ମୌସୁମୀ। ଜୁନ୍ ୧୦ ଅର୍ଥାତ ଚଳିତ ବର୍ଷ ସ୍ବାଭାବିକ ସମୟରେ ମୌସୁମୀ ଓଡ଼ିଶା ଛୁଇଁଥିବା ବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଢ଼ ମାସ ବିଳମ୍ବରେ ଓଡ଼ିଶାରୁ ଅପସାରିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଖାଲି ଓଡ଼ିଶା ନୁହେଁ; ସାରା ଭାରତରୁ ମଧ୍ୟ ଏହି ମୌସୁମୀ ଅପସାରଣ ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହେବ। ସାଧାରଣତଃ ସେପ୍ଟେମ୍ବର ୧ ତାରିଖରୁ ଦେଶର ଉତ୍ତର-ପଶ୍ଚିମ ରାଜ୍ୟ ଯଥା ରାଜସ୍ଥାନ, ପଞ୍ଜାବ ଆଦି ଅଞ୍ଚଳରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଏବେ ସେପ୍ଟେମ୍ବରର ୧୬ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଏଥିରେ ବହୁ ବିଳମ୍ବ ହେବ ବୋଲି ଜଣାପଡ଼ୁଛି।
ଆଞ୍ଚଳିକ ପଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ସାଧାରଣତଃ ୧ ଜୁନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତ ଅର୍ଥାତ କେରଳ ଛୁଇଁଥାଏ ଓ ୧ ସେପ୍ଟେମ୍ବରରୁ ଏହା ଭାରତରୁ ଅପସାରିତ ହେବା ଆରମ୍ଭ ହୁଏ। ଏହିକ୍ରମରେ ୧୫ ଅକ୍ଟୋବର ଆଡ଼କୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାରୁ ଫେରିବା ଆରମ୍ଭ କରେ। କିନ୍ତୁ ଯେହେତୁ ମୌସୁମୀ ଭାରତର ଉତ୍ତର-ପଶ୍ଚିମରୁ ଅପସାରିତ ହେବାକୁ ମାସକରୁ ଊର୍ଧ୍ବକାଳ ସମୟ ନେବ ତେଣୁ ଓଡ଼ିଶାରୁ ମୌସୁମୀ ଫେରିବାକୁ ବି ୪୫ ଦିନ ବିଳମ୍ବ କରିପାରେ। ଅର୍ଥାତ ମୌସୁମୀ ଛାଡ଼ିଲା ବେଳକୁ ଡିସେମ୍ବ୍ବର ପହିଲା ହୋଇଯିବ।
Powered by Froala Editor