ଆଉ ୪ଟି ଗେଟ ଖୋଲିବ ହୀରାକୁଦ
ଭୁବନେଶ୍ୱର: ହୀରାକୁଦ ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦରେ ପ୍ରଚୁର ପରିମାଣରେ ବନ୍ୟା ଜଳ ପ୍ରବେଶ କରୁଛି । ହୀରାକୁଦ ଡ୍ୟାମର ଏବେ ୨୪ଟି ଗେଟ ଖୋଲା ରହିଛି । ତେବେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯିବ ।
ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର ୬୨୮.୩୯ ଫୁଟ ରହିଛି। ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୪ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ୨୪ ଟି ଗେଟ ଯୋଗେ ସେକେଣ୍ଡ ପ୍ରତି ୪ ଲକ୍ଷ ୨୩ ହଜାର ୦୮୯ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି।
ଅନ୍ୟପକ୍ଷରେ ଗୋଟିଏ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସାରା ଓଡ଼ିଶାକୁ ବୁଡ଼େଇବା ପରେ ଏବେ ବଙ୍ଗୋପସାଗରରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିଲାଣି । ୧୮ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି ହୋଇ ୧୯ ତାରିଖରେ ପଶ୍ଚିମବଙ୍ଗର ମେଦିନୀପୁର ଓ ସଂଲଗ୍ନ ବାଲେଶ୍ବର ନିକଟରେ ରହିବ । ଏହା ବର୍ତମାନର ଲଘୁଚାପ ବଳୟ ଓ ମୌସୁମୀ ଟ୍ରଫ୍ର ପୂର୍ବ ଭାଗରେ ମିଶିବା ପରେ ସୁନ୍ଦରଗଡ଼ ଦେଇ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ । ୨୧ ତାରିଖ ପର୍ୟ୍ୟନ୍ତ ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା କମ୍ । ତେବେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
Powered by Froala Editor