୧୧ ମାସ ପରେ ଖୋଲିଲା ମା' ମଝିଘରିଆଣୀଙ୍କ ହୁଣ୍ଡି
୧୧ ମାସର ବ୍ୟବଧାନ ପରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ହୁଣ୍ଡି ଖୋଲିଛି। ମନ୍ଦିର ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତିକ୍ରମେ ସକାଳୁ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର କର୍ମଚାରୀଙ୍କ ସମେତ ମନ୍ଦିର ପରିଚାଳନା କମିଟି, ପୋଲିସ, ମାଜିଷ୍ଟେଟ ଓ ଏଣ୍ଡମେଣ୍ଟ ଅଧିକାରୀଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲା ଯାଇଥିଲା। ବୁଧବାର ଗଣତି ପରେ ୬୯ ଲକ୍ଷ ୯୦ ହଜାର ୨୮୪ ଟଙ୍କା ସମେତ ୫୨୦୧ ଗ୍ରାମ ରୁପା ଓ ୫୪ ଗ୍ରାମ ସୁନା ବାହାରିଥିଲା। ଆଜି ମାଙ୍କ ହୁଣ୍ଡିରୁ ବିଦେଶୀ ମୁଦ୍ରା ବାହାରିଥିବା ମଧ୍ୟ ଜଣାପଡିଛି। ମାଲେସିଆର ୪ ଟି ଏବଂ ସାଉଦି ଆରବର ଗୋଟିଏ ନୋଟ ମାଙ୍କ ହୁଣ୍ଡିରୁ ଭକ୍ତଙ୍କ ଦାନରୁ ମିଳିଥିବା ସୂଚନା ଦେଇଛନ୍ତି ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡିକା।
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳେ ଗଣତି ଆରମ୍ଭ ହୋଇଥିଲା। ପୂର୍ବରୁ ପ୍ରତି ୩ ମାସରେ ମା'ଙ୍କ ହୁଣ୍ଡି ଖୋଲାଯାଉଥିଲା। କରୋନା କଟକଣା ଯୋଗୁ ମନ୍ଦିର ବନ୍ଦ ଥିବାରୁ ହୁଣ୍ଡି ମଧ୍ୟ ଖୋଲାଯାଇନଥିଲା। ସୂଚନା ଯେ, ୧୧ ମାସ ପୂର୍ବରୁ ଶେଷଥର ଖୋଲାଯିବା ସମୟରେ ୬୩ ଲକ୍ଷ ଟଙ୍କା ସହିତ ସୁନା ଓ ରୁପା ଅଳଙ୍କାର ବାହାରିଥିଲା।
Powered by Froala Editor