ରାଜ କୁମାର ଶର୍ମାଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ବ
ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଲମ୍ବା ଛୁଟିରେ ଯାଇଛନ୍ତି। ଅକ୍ଟୋବର ୧୧ ତାରିଖ ପର୍ୟ୍ୟନ୍ତ ସେ ୨୮ ଦିନ ଛୁଟିରେ ରହିବେ। ଅକ୍ଟୋବର ୧୨ରୁ ୧୫ ତାରିଖ ଯାଏ ପୂଜା ଛୁଟି ହୋଇଥିବାରୁ ସେ ୧୬ ତାରିଖରେ କାର୍ୟ୍ୟରେ ଯୋଗ ଦେବେ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ଛୁଟି ନେଇଛନ୍ତି। କୃଷି ଉତ୍ପାଦନ କମିସନର୍ ତଥା ୧୯୮୭ ବ୍ୟାଚ୍ ଆଇଏଏସ୍ ଅଫିସର୍ ରାଜ କୁମାର ଶର୍ମାଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ଜାରି ହୋଇଛି।
ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଏକାଧିକ ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି ନିର୍ମାଣ କାର୍ୟ୍ୟ ଚାଲୁ ରହିଛି। ପୁଣି ଆସନ୍ତା ୪ ତାରିଖରେ କୋଭିଡ ମୃତ୍ୟୁକୁ ନେଇ ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରି ଗୁରୁତ୍ବପୂର୍ଣ୍ଣ ସମୟରେ ଶ୍ରୀ ମହାପାତ୍ର ଛୁଟିରେ ଯିବାଟା ସ୍ବାଭାବିକ ବୋଲି କେହି ଗ୍ରହଣ କରିପାରୁ ନାହାନ୍ତି। ଆଉ କିଛି ମାସ ପରେ ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ସ୍ତରରେ ଅଦଳବଦଳ ହେବାର ଥିଲା ବେଳେ ଶ୍ରୀ ମହାପାତ୍ରଙ୍କ ଛୁଟି ପ୍ରଶାସନିକ ମହଲରେ ବେଶ୍ ଗୁରୁତ୍ବ ବହନ କରୁଛି। ସୂଚନାଯୋଗ୍ୟ ଯେ ଗତ ବର୍ଷ ଏପ୍ରିଲ୍ ମାସରେ କୋଭିଡ୍ ପ୍ରଥମ ଲହର ସମୟରେ ସ୍ବାସ୍ଥ୍ୟ ବିଭାଗର ତତ୍କାଳୀନ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଦଳି କରାଯାଇ ଶ୍ରୀ ମହାପାତ୍ରଙ୍କୁ ଅବସ୍ଥାପିତ କରାଯାଇଥିଲା।
Powered by Froala Editor