ବୃଦ୍ଧଙ୍କ ମୁଣ୍ଡଗଣ୍ଡି କାଟି ନିର୍ମମ ହତ୍ୟା
ଖଲ୍ଲିକୋଟ : ଗୁଣି ସନେ୍ଦହରେ ଦୁର୍ବୃତ୍ତଙ୍କ ବର୍ବରତା କେଉଁ ସ୍ତରରେ ପହଞ୍ଚିପାରେ, ଗଞ୍ଜାମ ଜିଲ୍ଲାରେ ଘଟିଥିବା ଏକ ଘଟଣାରୁ ତାହା ଜଣାପଡ଼ିଛି । ଦୁର୍ବୃତ୍ତମାନେ ଜଣେ ବୃଦ୍ଧଙ୍କ ମୁଣ୍ଡଗଣ୍ଡି କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ପୋତି ଦେଇଛନ୍ତି । ଖବର ଲେଖାଯିବା ସୁଦ୍ଧା ପୁଲିସ ଏହି ସମ୍ବେଦନଶୀଳ ଘଟଣାରେ ୩ଜଣ ମହିଳାଙ୍କ ସମେତ ୫ଜଣଙ୍କୁ ଅଟକ ରଖିଛି । ମୃତ ବୃଦ୍ଧ ହେଲେ, ଖଲ୍ଲିକୋଟ ଥାନା ଅଧୀନ ବାଣିଆ ପଞ୍ଚାୟତ ବି.ନୂଆପଲ୍ଲୀ ଗ୍ରାମର ଯୁଧିଷ୍ଠିର ପ୍ରଧାନ (୬୦) । ଗତକାଲି ଅପରାହ୍ନରେ ଯୁଧିଷ୍ଠିର ସାଇକେଲରେ ଆଲିପୁର ଗ୍ରାମକୁ ଯାଇ ନୂ୍ଆପଲ୍ଲୀ ଫେରୁଥିବା ସମୟରେ ହଠାତ୍ ନିଖୋଜ ହୋଇଯାଇଥିଲେ । ପରିବାରବର୍ଗ ବହୁ ଖୋଜାଖୋଜି କରି ବି ତାଙ୍କୁ ଠାବ କରିପାରି ନଥିଲେ । ଗୁଣିଗାରେଡ଼ିକୁ ନେଇ ଯୁଧିଷ୍ଠିରଙ୍କ ଉପରେ ଗାଁର କିଛି ଲୋକ ସନେ୍ଦହ କରିଆସୁଥିଲେ । ଫଳରେ କିଛି ଅଘଟଣର ଆଶଙ୍କା କରି ଯୁଧିଷ୍ଠିରଙ୍କ ସାନଭାଇ ଥାନାରେ ଏତଲା ଦେବାପରେ ପୁଲିସ ଛାନଭିନ୍ ଆରମ୍ଭ କରିଥିଲା । ଗାଁର କିଛି ଲୋକଙ୍କୁ ଆଣି ଜେରା କରିଥିଲା । ସେମାନଙ୍କ ବୟାନ ଆଧାରରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଯୁଧିଷ୍ଠିରଙ୍କୁ ଆକ୍ରମଣ କରି ହତ୍ୟା କରିବା ପରେ ଶବକୁ ପୋତି ଦିଆଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଯୁଧିଷ୍ଠିରଙ୍କୁ ହତ୍ୟା କରିବା ପରେ ଗାଁ ଠାରୁ ୨୦୦ ମିଟର ଜଙ୍ଗଲରେ ଗାତ ଖୋଳି ପୋତି ଦିଆଯାଇଥିଲା । ଗାତ ନିକଟରେ ପୁଲିସ ମୁତୟନ ହୋଇଥିବାବେଳେ ଆଜି ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ବାହାର କରାଯିବ ବୋଲି ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ଓ ସେକେଣ୍ଡ ଅଫିସର ଅମ୍ବିକା ବେଣିଆ କହିଛନ୍ତି ।
Powered by Froala Editor