କରୋନା ରୋଗୀଙ୍କ ପାଇଁ ରୋଜା ଭାଙ୍ଗିଲେ ମୁସଲିମ ଯୁବକ: କହିଲେ, ମଣିଷ ହିସାବରେ ମୁଁ ମୋ କର୍ତ୍ତବ୍ୟ କରିଛି
ବଞ୍ଚିଛି ମାନବିକତା । ମରିଯାଇନି ମଣିଷପଣିଆ । ସ୍ୱାର୍ଥପର ଦୁନିଆରେ ଯେଉଁଠି ନିଜ ଲୋକ ହାତ ଛାଡ଼ି ଦେଉଛନ୍ତି ସେଠାରେ ଅନ୍ୟମାନେ ଭଗବାନଙ୍କ ରୂପ ନେଇ ସାମନାକୁ ଆସୁଛନ୍ତି । ଏଭଳି ଏକ ଘଟଣା ଆସିଛି ରାଜସ୍ଥାନ ଉଦୟପୁରରୁ । କରୋନା ରୋଗୀଙ୍କୁ ଜୀବନ ଦେବାକୁ ନିଜର ଧର୍ମକୁ ବି ଭୁଲି ଯାଇଛନ୍ତି ମୁସଲମାନ୍ ଯୁବକ ଅକିଲ ମସୁରୀ । ଉଦୟପୁରର ଜଣେ ସିଭିଲ କଣ୍ଟ୍ରାକ୍ଟର ଭାବେ କାମ କରୁଥିବା ଅକିଲ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ବୁଧବାର ଜଣେ କରୋନା ରୋଗୀଙ୍କୁ ପ୍ଲାଜମା ଦେବା ପାଇଁ ନିଜର ରୋଜା ବ୍ରତକୁ ଭାଙ୍ଗିବାକୁ ବି ପଛାଇନଥିଲେ ଅକିଲ । ତାଙ୍କର ଏମିତି ନିହତ କାର୍ଯ୍ୟ ପରେ ସବୁଠି ପ୍ରଶଂସା କରାଯାଉଛି । ସୂଚନା ଥାଉକି, ସେ ସୋସିଆଲ ମିଡିଆରୁ ଜାଣିବାକୁ ପାଇଥିଲେ ଜଣେ ମହିଳାଙ୍କ A+ ବ୍ଲଡ ଗ୍ରୁପ ପ୍ଲାଜମା ଦରକାର ହେଉଛି । ଏହା ଶୁଣିବା ପରେ ସେ ବିନା ଦ୍ୱିଧାରେ ଆଗେଇ ଆସିଥିଲେ ପ୍ଲାଜମା ଦାନ କରିବାକୁ । ହସ୍ପିଟାଲରେ ପହଞ୍ଚି ପ୍ଲାଜମା ଦେଇ ମହିଳାଙ୍କୁ ଦେଇଥିଲେ ନୂଆ ଜୀବନ । କିନ୍ତୁ ଏଥିପାଇଁ ତାଙ୍କୁ ତାଙ୍କର ରୋଜା ଭାଙ୍ଗିବାକୁ ପଡିଥିଲା । ସେ କହିଛନ୍ତି ଜଣେ ମଣିଷ ହିସାବରେ ମୁଁ ମୋର କର୍ତ୍ତବ୍ୟ କରିଛି । ତେବେ ମୁ ମୋ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରୁଛି ମହିଳା ଜଣଙ୍କ ଖୁବଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।