ଯୁକ୍ତ ୨ ନାମଲେଖା ପାଇଁ ନିୟମାବଳୀ ଜାରି, ଜାଣନ୍ତୁ କ’ଣ ରହିଛି ଗାଇଡ଼ଲାଇନ
ଭୁବନେଶ୍ୱର : ଯୁକ୍ତ ୨ ନାମଲେଖା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ଜାରି ହୋଇଛି । ଆସନ୍ତା ୧୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବା ସହ ୧୪ରୁ ୨୧ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ । ନାମଲେଖା ସମୟରେ ଯେପରି କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଇଣ୍ଟିମେସନ ଲେଟରରେ ସବିଶେଷ ତଥ୍ୟ ରହିବ । ପିଲାମାନେ କେଉଁ ସମୟରେ ନାମଲେଖା ପାଇଁ କ୍ୟାମ୍ପସକୁ ଆସିବେ, ସେନେଇ ଇଣ୍ଟିମେସନ ଲେଟରରେ ଉଲ୍ଲେଖ କରାଯିବ । ନାମ ଲେଖାଇବାକୁ ଆସିବା ସମୟରେ ମାସ୍କ ପରିଧାନ, ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ବଜାୟ ରଖିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜର ଅଧ୍ୟକ୍ଷଙ୍କୁ କୁହାଯାଇଛି । ପ୍ରତି ଛାତ୍ରଛାତ୍ରୀଙ୍କ ସହ ଜଣେ ଅଭିଭାବକ ଶିକ୍ଷାନୁଷ୍ଠାନ ଆସିପାରିବେ । ପ୍ରତି ଘଣ୍ଟାରେ ଅତିବେଶିରେ ୧୫ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ଅନୁମତି ଦିଆଯିବ । ଦୁଇଟି ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟ ପୂର୍ବାହ୍ନ ୯ଟାରୁ ଅପରାହ୍ନ ଗୋଟାଏ ଓ ଅପରାହ୍ନ ଗୋଟାଏରୁ ୫ଟା ଯାଏ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା କରିବାକୁ କୁହାଯାଇଛି ।
Powered by Froala Editor