ତାଲିବାନ ସରକାର ଦେଲେ ଅନୁମତି: କାବୁଲ ବିମାନବନ୍ଦରରୁ ଉଡ଼ିବ ବିମାନ
କାବୁଲ : ୨୦୦ ଆମେରିକୀୟଙ୍କ ସମେତ ଆଫଗାନିସ୍ତାନରେ ଫସି ରହିଥିବା ଅନ୍ୟ ବିଦେଶ ନାଗରିକ ଆଫଗାନିସ୍ତାନ ଛାଡ଼ିବେ । ବିଦେଶ ନାଗରିକମାନେ ଆଫଗାନିସ୍ତାନ ଛାଡ଼ିବାପାଇଁ ତାଲିବାନ ସରକାର ଅନୁମତି ଦେବାପରେ ସେମାନଙ୍କ ବିମାନ କାବୁଲ ବିମାନବନ୍ଦରରୁ ଉଡ଼ିବ । ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଜଲମେ ଖଲିଜାଦଙ୍କ କଥାରେ ତାଲିବାନ ସରକାର ଏଥିପାଇଁ ରାଜି ହୋଇଛନ୍ତି ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି । ତେବେ ମଜର ଇ ସରିଫରେ ଫସିଥିବା ଆମେରିକା ନାଗରିକ ଏମାନଙ୍କ ମଧ୍ୟରେ ସାମିଲ କି ନା ତାହା ଜଣାପଡ଼ିନି । ସମସ୍ତ ଯାତ୍ରୀଙ୍କ ନିକଟରେ ବୋର୍ଡିଂ ପାସ ଏବଂ ଟିକେଟ ଅଛି । ଏହାକୁ ଚାର୍ଟର ଏବଂ ବାଣିଜି୍ୟକ ବିମାନ ବି କୁହାଯାଇପାରିବ । ଗୋଟିଏ ବିମାନ ଉଡ଼ିବ ଏବଂ ଆଜି ଆଉ ଏକ ବିମାନ ଉଡ଼ିବ । ଅନ୍ୟପକ୍ଷେ କତାର, ତୁର୍କୀ, ଏବଂ ୟୁଏଇର ସହଯୋଗ ଦ୍ୱାରା ଆସନ୍ତା ୩ ଦିନ ମଧ୍ୟରେ କାବୁଲ ବିମାନବନ୍ଦରରୁ ବିମାନ ଉଡ଼ିବ ବୋଲି କୁହାଯାଉଛି । ହମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଫଗାନ ଇଂଜିନିୟରଙ୍କ ସହ କତାର ଏବଂ ତୁର୍କୀର ଟେକନିକାଲ ଟିମ କାମ କରୁଛନ୍ତି । ମିଳିଥିବା ସୂଚନାନୁଯାୟୀ କତାର ଏବଂ ୟୁଏଇ ଦ୍ୱାରା ବଡ଼ ସ୍କ୍ରିନ, କମ୍ପୁ୍ୟଟର, ସ୍କାନର ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସବୁ ଦିଆଯାଇଛି । ସୂଚନାନୁଯାୟୀ ଆମେରିକାର ଉଦ୍ଧାର କାର୍ଯ୍ୟ ମଧ୍ୟରେ କାବୁଲ ବିମାନବନ୍ଦରରେ ୨ କୋଟି ଡଲାର ମୂଲ୍ୟର କ୍ଷତି ହୋଇଛି ।
Powered by Froala Editor