୧୪ରେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ଆସନ୍ତା ୧୪ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବାର କାର୍ୟ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ୧୭ରୁ ଅଧିକ ମନ୍ତ୍ରୀଙ୍କୁ ସୁନ୍ଦରଗଡ଼ ଜିଲ୍ଲାରେ ୪ରୁ ୫ଦିନ ଧରି ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୧୪ତାରିଖ ମଙ୍ଗଳବାର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କାର୍ୟ୍ୟକ୍ରମକୁ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟା କାର୍ୟ୍ୟକ୍ରମ ବୀରମିତ୍ରପୁରରେ ହେବ ବୋଲି ଜଣାପଡ଼ିଛି। ଖାଦ୍ୟ ସୁରକ୍ଷା ଯୋଜନାରେ ଜିଲ୍ଲାର ମୋଟ ୪ଲକ୍ଷ ୩୬ହଜାର ୯୮୯ଟି ପରିବାର ସାମିଲ ଥିବାବେଳେ ସେମାନଙ୍କୁ ଏହି ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରାଯିବ। ୧୪ଲକ୍ଷ ୭୭ହଜାର ୪୧୯ଟି ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓ ୧୧,୦୬୮ ପରିବାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅନ୍ତର୍ଭୁକ୍ତ ଥିବାବେଳେ ସମସ୍ତେ ନୂଆ ସ୍ମାର୍ଟ ହେଲଥ କାର୍ଡ ପାଇବେ।
କୋଭିଡର ଦ୍ୱିତୀୟ ଲହର ପରେ ମୁଖ୍ୟମନ୍ତ୍ରୀଙ୍କର ଏହା ରାଜଧାନୀ ବାହାରେ ଦ୍ୱିତୀୟ କାର୍ଯ୍ୟକ୍ରମ । ଗତ ୨୦ ତାରିଖରେ ଶ୍ରୀ ପଟ୍ଟନାୟକ ମାଲକାନଗିରି ଯାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ପର୍ଯ୍ୟାୟକ୍ରମେ ମୁଖ୍ୟମନ୍ତ୍ରୀ ଅନ୍ୟ ଜିଲ୍ଲା ମଧ୍ୟ ଗସ୍ତ କରିବେ । ଖୁବଶୀଘ୍ର ମୟୂରଭଞ୍ଜ ଓ ବଲାଙ୍ଗୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
Powered by Froala Editor