ରାମ ମନ୍ଦିର ନିର୍ମାଣ ପାଇଁ ସଂଗୃହୀତ ଚେକ ମଧ୍ୟରୁ ୧୫ ହଜାର ଚେକ୍ ବାଉନ୍ସ
ରାମ ମନ୍ଦିର ନିର୍ମାଣ ପାଇଁ ସଂଗୃହୀତ ଚେକ ମଧ୍ୟରୁ ୧୫ ହଜାର ଚେକ୍ ବାଉନ୍ସ
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ଦେଶବ୍ୟାପୀ ଏକ ଅଭିଯାନ ଚଳାଇଥିଲା । ଏହି ଅଭିଯାନରେ ସଂଗୃହୀତ ପ୍ରାୟ ୧୫ ହଜାର ଚେକ ବାଉନ୍ସ ହୋଇଯାଇଛି । ଏହି ଚେକ ଗୁଡିକର ମୂଲ୍ୟ ପ୍ରାୟ ୨୨ କୋଟି ଟଙ୍କା ହେବ । ଏଥି ମଧ୍ୟରୁ ୨ ହଜାରଟି ଚେକ୍ କେବଳ ଅଯୋଧ୍ୟାରୁ ସଂଗୃହୀତ ହୋଇଛି । ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ତରଫରୁ କୁହାଯାଇଛି କି ଦାନ କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ଟଙ୍କା ନଥିବା କାରଣରୁ କିମ୍ବା କିଛି ପ୍ରକି୍ରୟାଗତ ତ୍ରୁଟି କାରଣରୁ ଏତେ ସଂଖ୍ୟକ ଚେକ୍ ବାଉନ୍ସ ହୋଇଛି । ବ୍ୟାଙ୍କ ଗୁଡିକ ପ୍ରକି୍ରୟାଗତ ତ୍ରୁଟିକୁ ସୁଧାରି କିଛି ଚେକରୁ ଗ୍ରହଣ କରିବା ପାଇଁ ଉଦ୍ୟମ କରୁଛନ୍ତି । ତା ସହିତ ଆଉ କେତେକ ଲୋକ ଯେଉଁମାନଙ୍କ ଚେକ ବାଉନ୍ସ ହୋଇଯାଇଛି, ସେମାନଙ୍କୁ ଆଉ ଥରେ ଦାନ କରିବାକୁ କୁହାଯାଉଛି । ସୂଚନା ଯୋଗ୍ୟ ଯେ, ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଜାନୁଆରୀ ୧୫ ରୁ ଫେବୃୟାରୀ ୧୭ ଭିତରେ ଚଳାଯାଇଥିବା ଉକ୍ତ ଅଭିଯାନ ଅଧୀନରେ ପ୍ରାୟ ୫ ହଜାର କୋଟି ଟଙ୍କା ସଂଗୃହୀତ ହୋଇଛି ବୋଲି କୁହାଯାଉଛି । କିନ୍ତୁ ପ୍ରକୃତରେ ଦାନ ସୂତ୍ରରେ କେତେ ଅର୍ଥ ମିଳିଛି ତାହା ଏ ଯାଏଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ତରଫରୁ ସ୍ପଷ୍ଟ କରାଯାଇନାହିଁ ।