ଇଂଲଣ୍ଡ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ, ଭାରତ ଫେରିପାରନ୍ତି ନୀରବ ମୋଦି
ଭାରତ ଫେରିବେ ନୀରବ ମୋଦି । ଭାରତରେ ଜାଲିଆତି କରି ବ୍ରିଟେନ ଫେରାର ହୋଇଯାଇଥିବା ନୀରବ ମୋଦିଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାର ଯେଉଁ ଉଦ୍ୟମ କରୁଥିଲେ, ତା’କୁ ସଫଳତା ମିଳିଛି। ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ଉପରେ ଆଜି ବ୍ରିଟେନ ଗୃହ ମନ୍ତ୍ରଣାଳୟର ସଚିବ ମୋହର ମାରିଥିବା ସିବିଆଇ ପକ୍ଷରୁ କୁହାଯାଇଛି। ଗୃହ ମନ୍ତ୍ରଣାଳୟର ସଚିବ ପ୍ରତ୍ୟର୍ପଣ ଉପରେ ମୋହର ମାରିଥିଲେ ହେଁ ଏହା ବିରୋଧରେ ନୀରବ ମୋଦି ବ୍ରିଟେନ ହାଇକୋର୍ଟରେ ଆବେଦନ କରିପାରିବେ। ଯଦି ସେ ଆବେଦନ କରନ୍ତି, ତା’ହେଲେ ପ୍ରତ୍ୟର୍ପଣ ପାଇଁ ନିଶ୍ଚିତ ବିଳମ୍ବ ହେବ।
ଇଂଲଣ୍ଡ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ ପରେ ନୀରବ ମୋଦି ଭାରତ ଫେରିବା ସମ୍ଭାବନା ବଢିଛି । ପୂର୍ବରୁ ନୀରବଙ୍କ ଭାରତ ପ୍ରତ୍ୟାବର୍ତ୍ତନ ନେଇ ୟୁକେର ୱେଷ୍ଟ ମିନିଷ୍ଟର କୋର୍ଟ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହାର ଦୁଇ ମାସ ପରେ ଅର୍ଥାତ୍ ଆଜି ଇଂଲଣ୍ଡ ଗୃହ ମନ୍ତ୍ରଣାଳୟ ଏଥିଲାଗି ଗ୍ରୀନ୍ ସିଗନାଲ ଦେଇଛନ୍ତି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଠକେଇ କରି ଭାରତରୁ ପଳାଇଥିଲେ ହୀରା ବ୍ୟବସାୟୀ ନୀରବ ମୋଦି । ଏହା ଜଣାପଡ଼ିବା ପୂର୍ବରୁ ସେ ସମସ୍ତଙ୍କୁ ଚକମା ଦେଇ ବ୍ରିଟେନ ଚାଲି ଯାଇଥିଲେ। ୨୦୧୮ରୁ ଉଭୟ ସିବିଆଇ ଓ ଇଡି ଏହି ଘଟଣାର ତଦନ୍ତ କରୁଛନ୍ତି। ଏସବୁ ଭିତରେ ନୀରବ ମୋଦିଙ୍କୁ ଭାରତ ଆଣିବା ପାଇଁ ମଧ୍ୟ ଉଦ୍ୟମ ଚାଲିଥିଲା। ତେବେ ସେ ବ୍ରିଟେନରେ ରହି ପ୍ରତ୍ୟର୍ପଣରୁ ବର୍ତ୍ତିବା ପାଇଁ ସବୁ ପ୍ରକାରର ଉଦ୍ୟମ କରିଥିଲେ।