ତା’ର ଜାଲିରୁ ପଳାଇଲା ବାଘ, ପର୍ଯ୍ୟଟକ ଆତଙ୍କିତ
ଭୁବନେଶ୍ୱର: ପର୍ଯ୍ୟଟକ ଟିକେଟ କାଟି ନନ୍ଦନକାନନ ଭିତରକୁ ପଶିଥିଲେ । ତେବେ ହଠାତ ନନ୍ଦନକାନନ ଭିତରୁ ତୁରନ୍ତ ବାହାରକୁ ବାହାରିବା ଆସିବା ପାଇଁ ଘୋଷଣା କରାଯାଇଥିଲା । ଘୋଷଣା ଶୁଣି ସମସ୍ତେ ଆତଙ୍କିତ ହୋଇପଡ଼ିଥିଲେ । କ’ଣ ହେଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା । ତେବେ ବାଘ ତା’ର ଜାଲିରୁ ବାହାରକୁ ବାହାରି ଆସିଥିବା ଖବର ଜାଣିବା ପରେ ସମସ୍ତେ ଜୀବନ ବିକଳରେ ନନ୍ଦନକାନନ ବାହାରକୁ ପଳାଇଆସିଥିଲେ । ଆଜି ନନ୍ଦନକାନନରେ ଏଭଳି କିଛି ଘଟଣା ଘଟିଛି ।
ନନ୍ଦନକାନନ ବାଘ ସଫାରୀରୁ ବାଘ ଜାଲି ଛିଣ୍ଡାଇ ପଳାଇଯିବା ଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ସଫାରୀରେ ଥିବା ବାଘ ‘ସୂରଜ’କୁ ଖାଇବାକୁ ଦେଲା ବେଳେ ଖସିଯାଇଥିଲା । କିଛି ସମୟ ପର୍ଯ୍ୟନ୍ତ ବାଘକୁ ନନ୍ଦନକାନନ କର୍ତ୍ତୃପକ୍ଷ ଖୋଜି ପାଇନଥିଲେ । ବାଘ ଖସି ଯାଇଥିବା ଖବର ପରେ ପର୍ଯ୍ୟଟକମାନଙ୍କୁ ବାହାର କରାଯାଇଥିଲା । ତେବେ ବହୁ ସମୟ ଖୋଜାଖୋଜି କରିବା ପରେ ସଫାରୀ ଭିତରେ ବାଘ ‘ସୂରଜ’ର ସନ୍ଧାନ ମିଳିଥିଲା । ଏବେ ବାଘ ‘ସୂରଜ’ ସଫାରୀ ଭିତରେ ବିଚରଣ କରୁଥିବା ସୂଚନା ମିଳିଛି । ଏବେ ନନ୍ଦନକାନନ ପରିସ୍ଥିତି ସ୍ୱାଭାବିକ ଥିବା କର୍ତ୍ତୃପକ୍ଷ କହିଛନ୍ତି ।
Powered by Froala Editor