ମନ୍ତ୍ରୀଙ୍କ ଉତ୍ତର ଦୁର୍ଭାଗ୍ୟଜନକ: ମୋହନ ମାଝୀ

ଭୁବନେଶ୍ୱର: ମରୁଡ଼ି ସମ୍ପର୍କିତ ମୁଲତବି ଆଲୋଚନା ବେଳେ କୃଷି ମନ୍ତ୍ରୀ ଅରୁଣ ସାହୁ ଯେଉଁ ଉତ୍ତର ରଖିଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ।
ସେ କହିଛନ୍ତି ଯେ, ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାର କିଛି କରିନାହାନ୍ତି । ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇସାରିଲାଣି । ମରୁଡ଼ି ଘୋଷଣା କରାଯାଇ ଚାଷୀଙ୍କ ଲାଗି ତୁରନ୍ତ ପ୍ୟାକେଜ ଘୋଷଣା ହେଉ । ନଦୀ ଜଳ ସଂରକ୍ଷଣ ପାଇଁ ସରକାର ଟାସ୍କଫୋର୍ସ ଗଠନ କରୁନ୍ତୁ ବୋଲି ମୋହନ ମାଝୀ କହିଛନ୍ତି ।
ସରକାର ସଦାସର୍ବଦା ଚାଷୀଙ୍କ ସହ ଅଛନ୍ତି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ । ଆଜି ବିଧାନସଭାରେ ମରୁଡ଼ି ସମ୍ପର୍କିତ ମୁଲତବି ଆଲୋଚନାବେଳେ ମନ୍ତ୍ରୀ ଶ୍ରୀ ସାହୁ ଏହା କହିଥିଲେ ।
ସେ କହିଥିଲେ ଯେ, ଗତ ୨୦ ବର୍ଷ ଭିତରେ ରାଜ୍ୟରେ ୮ଥର ମରୁଡ଼ି ହୋଇଛି । ଅଗଷ୍ଟ ୨୮ ତାରିଖ ସୁଦ୍ଧାେ ୨୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । କମ ବର୍ଷା ଯୋଗୁଁ ୧୪ ଜିଲ୍ଲାର ୪୭ ବ୍ଲକରେ ଫସଲ ଅବସ୍ଥା ଖରାପ ଅଛି । ମରୁଡ଼ି ସ୍ଥିତିକୁ ଦୃଷ୍ଟିରେ ରଖି କଣ୍ଟିଜେନ୍ସି କ୍ରପ ପ୍ଲାନ କରାଯାଉଛି । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ । ବର୍ତ୍ତମାନ ସୁଦ୍ଧା ମୋଟ ୫୩.୬୭ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ ହୋଇଛି । ଯାହା ଧାର୍ୟ୍ୟ ଲକ୍ଷ୍ୟର ୬୧.୯୬ ଲକ୍ଷ ହେକ୍ଟର । ସେହିପରି କୃଷି ମନ୍ତ୍ରୀ କହିଛନ୍ତି ରାଜ୍ୟର ୬୦ ପ୍ରତିଶତ ଜମି ଧାନ ରୁଆ ହୋଇଥାଏ । ମାତ୍ର ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ସ୍ଥଳ ବିଶେଷରେ ଧାନ ରୁଆ କାର୍ୟ୍ୟ ବିଳମ୍ବିତ ହୋଇଥିଲା । ଗତ ୩ ରୁ ୪ ଦିନ ମଧ୍ୟରେ ହୋଇଥିବା ବର୍ଷା ଯୋଗୁଁ ଗଜପତି, ଗଞ୍ଜାମ, ରାୟଗଡା, କେନ୍ଦୁଝର, ଢେଙ୍କାନାଳ ଓ ନବରଙ୍ଗପୁରରେ ଧାନ ରୁଆରେ ଉନ୍ନତି ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ।
Powered by Froala Editor