ସରକାର ଚାଷୀଙ୍କ ସହ ଅଛନ୍ତି: ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର: ସରକାର ସଦାସର୍ବଦା ଚାଷୀଙ୍କ ସହ ଅଛନ୍ତି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଆଜି ବିଧାନସଭାରେ ମରୁଡ଼ି ସମ୍ପର୍କିତ ମୁଲତବି ଆଲୋଚନାବେଳେ ମନ୍ତ୍ରୀ ଶ୍ରୀ ସାହୁ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଗତ ୨୦ ବର୍ଷ ଭିତରେ ରାଜ୍ୟରେ ୮ଥର ମରୁଡ଼ି ହୋଇଛି । ଅଗଷ୍ଟ ୨୮ ତାରିଖ ସୁଦ୍ଧାେ ୨୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । କମ ବର୍ଷା ଯୋଗୁଁ ୧୪ ଜିଲ୍ଲାର ୪୭ ବ୍ଲକରେ ଫସଲ ଅବସ୍ଥା ଖରାପ ଅଛି । ମରୁଡ଼ି ସ୍ଥିତିକୁ ଦୃଷ୍ଟିରେ ରଖି କଣ୍ଟିଜେନ୍ସି କ୍ରପ ପ୍ଲାନ କରାଯାଉଛି । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ ୫୩.୬୭ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ ହୋଇଛି । ଯାହା ଧାର୍ୟ୍ୟ ଲକ୍ଷ୍ୟର ୬୧.୯୬ ଲକ୍ଷ ହେକ୍ଟର । ସେହିପରି କୃଷି ମନ୍ତ୍ରୀ କହିଛନ୍ତି ରାଜ୍ୟର ୬୦ ପ୍ରତିଶତ ଜମି ଧାନ ରୁଆ ହୋଇଥାଏ । ମାତ୍ର ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ସ୍ଥଳ ବିଶେଷରେ ଧାନ ରୁଆ କାର୍ୟ୍ୟ ବିଳମ୍ବିତ ହୋଇଥିଲା । ଗତ ୩ ରୁ ୪ ଦିନ ମଧ୍ୟରେ ହୋଇଥିବା ବର୍ଷା ଯୋଗୁଁ ଗଜପତି, ଗଞ୍ଜାମ, ରାୟଗଡା, କେନ୍ଦୁଝର, ଢେଙ୍କାନାଳ ଓ ନବରଙ୍ଗପୁରରେ ଧାନ ରୁଆରେ ଉନ୍ନତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ପ୍ରକାଶ ଯେ, ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଜାତୀୟ ସଙ୍ଗୀତ ଗାନରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । କରୋନା ଭଳି କଠିନ ପରିସ୍ଥିତିର ମୁକାବିଲା କରି ପ୍ରାଣବଳୀ ଦେଇଥିବା ସମସ୍ତ କରୋନା ଯୋଦ୍ଧା, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ପୂର୍ବତନ ରାଷ୍ଟ୍ରମନ୍ତ୍ରୀ କାର୍ତ୍ତିକ ତରାଇ ପାଇଁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟ ଦିବଂଗତ ନେତାଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିଥିଲେ ।
ଭିଡିଓ କନଫରେନ୍ସିଂ ଜରିଆରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ ।
ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏମସ ହସ୍ପିଟାଲ ଅତିଥି ଭବନରୁ ଭିସିରେ ଯୋଡ଼ି ହୋଇଥିଲେ ଶ୍ରୀ ନାଏକ । ପରେ ପ୍ରଶ୍ନକାଳ ଆରମ୍ଭ ହେଉ ହେଉ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ପ୍ରଶ୍ନକାଳ ବାତିଲ କରି ମରୁଡ଼ି ଆଲୋଚନା ଦାବିରେ ହଟ୍ଟଗୋଳ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ୧୨ଟା ୩୪ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।
Powered by Froala Editor