ଜଳାଶୟର ୫୦ ମିଟର ମଧ୍ୟରେ ହୋଇପାରିବନି ପେଟ୍ରୋଲ ପମ୍ପ

ଭୁବନେଶ୍ୱର: ଜଳାଶୟର ୫୦ ମିଟର ମଧ୍ୟରେ ପେଟ୍ରୋଲ ପମ୍ପ ହୋଇପାରିବ ନାହିଁ । ଦେଶରେ ବଢ଼ୁଥିବା ଭୂତଳ ଜଳ ପ୍ରଦୂଷଣକୁ ନଜରରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ନେଇ ସିପିସିବି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇ ଓଡ଼ିଶା ସମତେ ଦେଶର ସମସ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗୁଡିକୁ ପଠାଯାଇଛି । ଯେତେ ଶୀଘ୍ର ସମ୍ଭବ, ଏହାକୁ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡମାନଙ୍କୁ ସିପିସିବି ପକ୍ଷରୁ ପଠାଯାଇଥିବା ସଂଶୋଧିତ ମାର୍ଗଦର୍ଶିକାରେ କୁହାଯାଇଛି ଯେ ଜଳାଶୟର ୫୦ ମିଟରରୁ କମ ଦୂରତାରେ ପେଟ୍ରୋଲ ପମ୍ପ ବସାଯିବା ଦ୍ୱାରା ଭୂତଳ ଜଳ ପ୍ରଦୂଷଣ ହେଉଥିବା ନେଇ ଆକଳନ କରାଯାଇଥିଲା । ଏଥିପାଇଁ ମଧ୍ୟ ଜନମତ ଲୋଡା ଯାଇଥିଲା । ଜନସାଧାରଣଙ୍କ ଠାରୁ ମିଳିଥିବା ମତାମତକୁ ବିଶେଷଜ୍ଞ କମିଟିକୁ ପଠାଇ ମାର୍ଗଦର୍ଶିକାରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଉକ୍ତ ମାର୍ଗଦର୍ଶିକାକୁ ସଂଶୋଧନ କରି ସିପିସିବି ପକ୍ଷରୁ ରାଜ୍ୟଗୁଡ଼ିକୁ ଆଦେଶ ଜାରି କରାଯାଇଛି । ସ୍ଥାପନ ହେବାକୁ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।
Powered by Froala Editor