ଲାଞ୍ଚ କାରବାର ଭିଡିଓ ଭାଇରଲ୍ ଘଟଣା, ଅବକାରୀ ଅଧୀକ୍ଷକ ନିଲମ୍ବିତ

ରାୟଗଡା: ଲାଞ୍ଚ କାରବାର ଭିଡିଓ ଭାଇରଲ୍ ଘଟଣା । ନିଲମ୍ବିତ ହେଲେ ରାୟଗଡା ଅବକାରୀ ଅଧୀକ୍ଷକ । ବହୁ ବାଦବିବାଦ ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଶେଷରେ ବିବାଦୀୟ ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକଙ୍କୁ ସରକାର ନିଲମ୍ବିତ କରିଛନ୍ତି । ଏହା ସହ ତୁରନ୍ତ ଅବକାରୀ କମିଶନରଙ୍କ କାର୍ୟ୍ୟାଳୟ କଟକରେ ଯୋଗ ଦେବା ପାଇଁ ଅବକାରୀ ବିଭାଗ ନିର୍ଦ୍ଦେଶ ଦେଇଛି ।
ରାୟଗଡା ଜିଲ୍ଲା ଗୁଣପୁରର ଏକ ହୋଟେଲ ରେ ଅବକାରୀ ଅଧିକ୍ଷକ ପ୍ରସନ୍ନ କୁମାର ନାୟକ ଓ କନେଷ୍ଟବଳ ସୁଶାନ୍ତ ପାତ୍ର ଜଣେ ମଦ ବ୍ୟବସାୟୀଙ୍କ ସହ ଟଙ୍କା ନେଣଦେଣ କରିବା ଘଟଣା ଗତ ମାସ ୧୬ ତାରିଖରେ ଭାଇରାଲ୍ ହୋଇଥିଲା । ଅବକାରୀ ବିଭାଗ ଅଧୀକ୍ଷକ ପ୍ରସନ୍ନ ନାୟକ କିପରି ଜଣେ ମଦ ଦୋକାନ କର୍ମଚାରୀଙ୍କୁ ଟଙ୍କା ମାଗୁଥିଲେ ତାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରିବୁଲିଥିଲା । ତେବେ ଏନେଇ କମିଶନର ଆଶିଷ ସିଂଙ୍କ ନିକଟରେ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ରାୟଗଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଇଥିଲେ । ତେବେ ନିର୍ଦେଶ ପ୍ରକାରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ତଦନ୍ତଭାର ପ୍ରଦାନ କରିଥିଲେ । ତେବେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଗୁଣପୁର ସ୍ଥିତ ହୋଟଲକୁ ଯାଇ ତଦାରଖ କରିବା ସହ ସମସ୍ତ ଭିଡିଓ ଫୁଟେଜକୁ ତଦନ୍ତ କରିଥିଲେ । ଏହାପରେ ଏନେଇ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିବା ପରେ ଏକ ବନ୍ଦ ଲଫାପାରେ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା । ତେବେ ତଦନ୍ତର ରିପୋର୍ଟ ସଂପୂର୍ଣ୍ଣ ଭାବେ ଅବକାରୀ ଅଧିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ବିରୋଧରେ ଯିବା ପରେ ସରକାର ତାଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
Powered by Froala Editor