ଆରମ୍ଭରୁ ଗୃହରେ ହୋହାଲ୍ଲା, ୧୨ଟା ୩୪ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା । ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ଗୃହରେ ହୋହାଲ୍ଲା ହୋଇଛି । ପ୍ରଶ୍ନକାଳ ଆରମ୍ଭ ହେଉ ହେଉ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ପ୍ରଶ୍ନକାଳ ବାତିଲ କରି ମରୁଡ଼ି ଆଲୋଚନା ଦାବିରେ ହଟ୍ଟଗୋଳ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ୧୨ଟା ୩୪ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।
ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଜାତୀୟ ସଙ୍ଗୀତ ଗାନରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । କରୋନା ଭଳି କଠିନ ପରିସ୍ଥିତିର ମୁକାବିଲା କରି ପ୍ରାଣବଳୀ ଦେଇଥିବା ସମସ୍ତ କରୋନା ଯୋଦ୍ଧା, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ପୂର୍ବତନ ରାଷ୍ଟ୍ରମନ୍ତ୍ରୀ କାର୍ତ୍ତିକ ତରାଇ ପାଇଁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟ ଦିବଂଗତ ନେତାଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ ।
ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏମସ ହସ୍ପିଟାଲ ଅତିଥି ଭବନରୁ ଭିସିରେ ଯୋଡ଼ି ହୋଇଥିଲେ ଶ୍ରୀ ନାଏକ ।
ପ୍ରକାଶ ଯେ, ୯ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୮ଟି କାର୍ୟ୍ୟଦିବସ ରହିଛି। ଗୋଟିଏ ଦିନ ଅର୍ଥାତ ୩ ତାରିଖରେ ପ୍ରାଇଭେଟ୍ ମେମ୍ବର୍ସ ଦିନ ରହିଛି। ପ୍ରଥମ ଦିନରେ ୭ଟି ବିଲ୍ ଓ ଗୋଟିଏ ଅଧ୍ୟାଦେଶ ଗୃହରେ ଉପସ୍ଥାପନ ହେବ। ଏହି ଅଧିବେଶନରେ ମୋଟ୍ ୧୨ଟି ବିଲ୍ ଆସିବ।
ବିଧାନସଭା ଅଧିବେଶନର ଅବଧି କମ୍ ଥିଲେ ମଧ୍ୟ ଗୃହ ସରଗରମ ହେବା ନିଶ୍ଚିତ। ପ୍ରଥମ ଦିନରୁ ଶାସକ ଓ ବିରୋଧୀ ମୁହାଁମୁହିଁ ହେବେ ବୋଲି ଆଜି ତିନି ଦଳର ହୋଇଥିବା ବିଧାୟକ ଦଳ ବୈଠକରୁ ସଙ୍କେତ ମିଳିଛି। ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ ଥିଲା ବେଳେ ବିରୋଧୀଙ୍କୁ ପାଲଟା ଆକ୍ରମଣ କରିବାକୁ ବିଜେଡି ବି ପ୍ରସଙ୍ଗ ଚୟନ କରିଛି।
Powered by Froala Editor