ସମ୍ଭାବ୍ୟ ମରୁଡି ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଚାଷୀ ମାନଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତିର ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ମରୁଡିର ସଠିକ ଢଙ୍ଗରେ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଚାଷୀ ମାନଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା କାର୍ୟ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସମ୍ଭାବ୍ୟ ମରୁଡି ସମୀକ୍ଷାମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧୩ଟି ବ୍ଲକ୍ରେ ବର୍ଷାର ଅଭାବ ଦେଖାଦେଇଛି । ଯାହାକି କୃଷି କାର୍ୟ୍ୟକ୍ରମକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୈନିକ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସଂପୃକ୍ତ ଜିଲ୍ଲାପାଳମାନେ କ୍ଷେତ୍ରସ୍ତରରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଫସଲ ପାଇଁ ଜରୁରୀକାଳୀନ ଯୋଜନା, କେନାଲ ଗୁଡିକରେ ଜଳପ୍ରବାହ ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି କାର୍ୟ୍ୟକ୍ରମ ଗୁଡିକ ମଧ୍ୟରେ ଉତ୍ତମ ସମନ୍ବୟ ରଖି କାର୍ୟ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଚାଷୀ ମାନଙ୍କ ଫସଲ ନଷ୍ଟ ହେବା କ୍ଷେତ୍ରରେ ଦ୍ବିତୀୟ ଫସଲ ପାଇଁ ବିହନ ଓ ମିନିକିଟ୍ ଯୋଗାଇ ଦେବା ଏବଂ ଯେଉଁଠାରେ ଫସଲ ଅଛି, ତାକୁ ସୁରକ୍ଷିତ ରଖିବା ପାଇଁ ରିହାତି ଦରରେ ଚାଷୀ ମାନଙ୍କୁ ଡିଜେଲ ପମ୍ଫସେଟ୍ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଚାଷୀ ମାନଙ୍କ ଜମିକୁ ଜଳଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ ଜାଗାରେ ଅଧ ଏକରରୁ ଅଧିକ ଥିବା ଚାଷ ଜମି ପାଇଁ ପୋଖରୀ ଖୋଳିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସମସ୍ତ ଉଠାଜଳସେଚନ ପଏଣ୍ଟ ଗୁଡିକୁ ୭ ଦିନ ମଧ୍ୟରେ ମରାମତି ଓ ପୁନରୁଦ୍ଧାର କରି କାର୍ୟ୍ୟକ୍ଷମ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଛୋଟ ଓ ନାମମାତ୍ର ଚାଷୀ ଓ କୃଷି ଶ୍ରମିକ ମାନଙ୍କୁ ଜୀବିକା ସହାୟତା ଦେବା ପାଇଁ ବିଭିନ୍ନ ରୋଜଗାର ସୃଷ୍ଟିକାରୀ ଯୋଜନା ଉପରେ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଜନସାଧାରଣ ଓ ପ୍ରାଣୀସଂପଦ ମାନଙ୍କ ପାଇଁ ଯେପରି ପାନୀୟ ଜଳର ଅଭାବ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ଓ ପୌରସଂସ୍ଥା କର୍ତ୍ତୃପକ୍ଷମାନେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀ ଓ ସାଧାରଣ ଜନତାଙ୍କ ଉପରେ ମରୁଡିର ପ୍ରଭାବ କମ୍ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
Powered by Froala Editor