ପୂର୍ବତନ ବିଧାୟକଙ୍କୁ ପିଟି ୮୦ ହଜାର ଲୁଟିନେଲେ
ରାଇରଙ୍ଗପୁର ପୂର୍ବତନ ବିଧାୟକ ସାଇବା ଶୁଶୀଲ ହାଁସଦା ଲୁଟ୍ର ଶିକାର ହୋଇଛନ୍ତି । ତାଙ୍କୁ ବହଲଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି। ସୂଚନା ମୁତାବକ, ଶ୍ରୀ ହାଁସଦା ଶନିବାର ଦିନ ପ୍ରାୟ ୧୧ଟା ବେଳକୁ ଗମ୍ଭାରିଆ ଗ୍ରାମରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କଠାରୁ ନଗଦ ୮୦ ହଜାର ଟଙ୍କା ଧରି ଏକ ସ୍କୁଟରରେ ନିଜ ଗାଁ ବ୍ରାହ୍ମଣବୋଷକୁ ଫେରୁଥିଲେ। ତେବେ ଘରକୁ ଯିବା ବାଟରେ ଏକ ନିଛାଟିଆ ସ୍ଥାନରେ ତିନି ଜଣ ଦୁର୍ବୃ୍ତ୍ତ ଏକ କଳା ରଙ୍ଗର ପଲସର୍ ବାଇକ୍ରେ ଆସି ଶ୍ରୀ ହାଁସଦାଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ପାଖରେ ଥିବା ୮୦ ହଜାର ଟଙ୍କା ଛଡ଼ାଇ ନେଇ ଦ୍ରୁତଗତିରେ ପଳାଇଥିଲେ। ସ୍ଥାନୀୟ ଲୋକେ ଏନେଇ ବହଳଦା ପୁଲିସକୁ ଖବର ଦେଇଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ବହଳଦା ମେଡିକାଲ୍ରେ ଭର୍ତ୍ତି କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦିନଦ୍ବିପ୍ରହରରେ ବାରମ୍ବାର ଏଭଳି ଲୁଟତରାଜ୍ ଘଟଣାକୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି। ଏ ନେଇ ବହଳଦା ଥାନା କେସ୍ ନଂ ୮୧/୨୧ରେ ଏକ ମାମଲା ରୁଜୁ ହୋଇଛି।
Powered by Froala Editor