୫ ଲକ୍ଷ Methamphetamine tablets ଜବତ
ମିଜୋରାମ ପୁଲିସ୍ ଆଇଜଲ ନିକଟରୁ ୧୦ କୋଟି ଟଙ୍କାର ନିଶା ବଟିକା ଜବତ କରିଛି । ପୁଲିସ୍ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ଖୋଳତାଡ଼ କରୁଛି। ଟ୍ରକ୍ରେ ନିଶାଦ୍ରବ୍ୟ ଚୋରା ଚାଲାଣ ହେଉଥିବା ଖବର ମିଳିବା ପରେ ଗୁରୁବାର ସନ୍ଧ୍ୟାରେ ପୁଲିସ୍ ପକ୍ଷରୁ ରାଜଧାନୀ ଆଇଜଲ ଠାରୁ ୨୦ କିମି ଦୂରରେ ଥିବା ସାଇରଙ୍ଗ ଠାରେ ଚେକିଂ ଆରମ୍ଭ ହୋଇଥିଲା। ଟ୍ରକ୍ଗୁଡ଼ିକକୁ ଅଟକାଇ ପୁଲିସ୍ ଅଧିକାରୀମାନେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗୋଟିଏ ଟ୍ରକ୍ରୁ ୫ ଲକ୍ଷ ନିଶା ବଟିକା ମିଳିଥିଲା। ଏହି ଟ୍ରକ୍ରେ ମଣ୍ଟୁ କୁମାର ଦେବ(୪୫) ଓ ସୁବାଷ ଦାସ(୩୩) ରହିଥିଲେ। ଉଭୟଙ୍କ ଘର ଆସାମର କରିମଗଞ୍ଜ ଅଞ୍ଚଳରେ। ପୁଲିସ୍କୁ ଦେଖିବା କ୍ଷଣି ସେମାନେ ଟ୍ରକ୍ ଛାଡ଼ି ଚାଲିଯିବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ୍ ସେମାନଙ୍କୁ ପିଛା କରି କାବୁ କରିଥିଲା। Methamphetamine tablets ଭଳି ଏକ ମାରାତ୍ମକ ନିଶା ବଟିକା ଚାଲାଣ କରୁଥିବାରୁ ଉଭୟଙ୍କ ନାଁରେ ନାର୍କୋଟିକ ଡ୍ରଗ୍ସ ଓ ସାଇକୋଟ୍ରୋପିକ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି ଓ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି, ତା’ର ଖୋଳତାଡ଼ କରାଯାଉଛି। ସୂଚନା ଯେ, Methamphetamine tablets ଏକ ପ୍ରକାରର ନିଷିଦ୍ଧ ନିଶା ବଟିକା ।
Powered by Froala Editor