ସାବଧାନ : ଦୈନିକ କରୋନା ନେବ ୨୩୨୦ ଜୀବନ !
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଏବେ ସମସ୍ତଙ୍କ ନିଦ ହଜାଇଦେଇଛି । କରୋନାର ଏହି ଭୟାନକ ରୂପାନ୍ତରିତ ଭୂତାଣୁ ଅଧିକ ସଂଖ୍ୟକ ଜୀବନ ନେବାରେ ଲାଗିଛି । ଦେଶରେ ଏବେ ଦୈନିକ ୧୭୫୦ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିବାର ଆଶଙ୍କା ରହିଛି । ଜୁନ ପ୍ରଥମ ସପ୍ତାହ ସୁଦ୍ଧା କରୋନା ଜନିତ ମୃତୁ୍ୟ ସଂଖ୍ୟା ଦୈନିକ ୨୩୨୦ ଛୁଇଁବ ବୋଲି ଆଶଙ୍କା କରାଯାଉଛି । ଲାନସେଟ କୋଭିଡ଼ ୧୯ କମିଶନ ରିପୋର୍ଟରେ ଏହା ଦର୍ଶାଯାଇଛି ।
ଦେଶରେ କୋଭିଡ଼ର ପ୍ରଥମ ଲହରରେ ଅର୍ଥାତ ଅଗଷ୍ଟ-ସେପ୍ଟେମ୍ବର ୨୦୨୦ରେ ୬୦ରୁ ୧୦୦ ଜିଲ୍ଲାରେ ୭୫% କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମ୍ପ୍ରତି ୨୦ରୁ ୪୦ ଜିଲ୍ଲାରେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି କରୋନା ସଂକ୍ରମଣ ୧୦ରୁ ୮୦ ହଜାରକୁ ବୃଦ୍ଧି ପାଇବା ପାଇଁ ୮୩ ଦିନ ସମୟ ଲାଗୁଥିବାବେଳେ ଏବେ ୪୦ ଦିନରେ ଏଭଳି ସଂକ୍ରମଣ ବୃଦ୍ଧି ପାଇଛି ।
ଦେଶରେ ଆଉ ୨ ଲକ୍ଷ ୧୬ ହଜାର ୮୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାମାରୀ ବ୍ୟାପିବା ପରେ ଏହା ସର୍ବାଧିକ ସଂକ୍ରମଣ ବୋଲି ରେକଡର଼୍ କରାଯାଇଛି । ଗତକାଲି ଦେଶରେ ପ୍ରଥମ ଥର ପାଇଁ କରୋନା ସଂକ୍ରମଣ ୨ ଲକ୍ଷ ଟପିଥିଲା । ଗତକାଲି ୨ ଲକ୍ଷ ୭୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଦ୍ୱିତୀୟ ଦିନ ପାଇଁ ୨ ଲକ୍ଷ ଟପିଛି । ଫଳରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୨ ଲକ୍ଷ ୮୭ ହଜାର ୭୪୦ରେ ପହଁଚିଚି ।