ସେପ୍ଟେମ୍ବର ୨୦ରୁ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନେ୍ଦାଳନ ଡାକରା

ନୂଆଦିଲ୍ଲୀ : କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳର ନେତା ଗତକାଲି ଏକ ଭର୍ଚୁଆଲ ବୈଠକ କରି କେନ୍ଦ୍ର ସରକାରକୁ ଘେରିବାକୁ ଯୋଜନା କରିଥିଲେ । ସେମାନେ ସରକାରଙ୍କ ନିକଟରେ ୧୧ଟି ଦାବି ରଖି ଆସନ୍ତା ସେପ୍ଟେମ୍ବର ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନେ୍ଦାଳନ ଡାକରା ଦେଇଛନ୍ତି । ପେଗାସସ ସ୍ପାଏୱେର ଗୁଇନ୍ଦାଗିରି ମାମଲାରେ ତୁରନ୍ତ ବିଚାରବିଭାଗୀୟ ତଦନ୍ତ ଦାବି, ୩ କୃଷି ଆଇନ ଉଚ୍ଛେଦ, ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ସମେତ ୧୧ଟି ଦାବି ରଖିଛନ୍ତି ବିରୋଧୀ ଦଳ । କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଟିଏମସି, ଏନସିପି, ଡିଏମକେ, ଶିବସେନା, ଜେଏମଏମ, ସିପିଆଇ, ସିପିଏମ, ଏନସି, ଆରଜେଡି, ଏଆଇୟୁଡିଏଫ, ଭିସିକେ, ଲୋକତାନ୍ତ୍ରିକ ଜନତା ଦଳ, ଜେଡିଏସ, ଆରଏଲଡି, ଆରଏସପି, କେରଳ କଂଗ୍ରେସ (ଏମ), ପିଡିପି ଏବଂ ଆଇୟୁଏମଏଲର ନେତାମାନେ ଗତକାଲି ଭର୍ଚୁଆଲ ବୈଠକରେ ଯୋଗ ଦେଇଥିଲେ । ମିଳିତ ବିବୃତି ଜାରି କରି ବିରୋଧୀ ଦଳ ନେତାମାନେ କହିଛନ୍ତି ଯେ କେନ୍ଦ୍ର ସରକାର ଏବଂ ଶାସକ ଦଳ ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ଦଳଙ୍କୁ ସେମାନଙ୍କ ମତ ରଖିବାକୁ ସୁଯୋଗ ଦେଇନଥିଲେ । ଦେଶବାସୀ ଦରବୃଦ୍ଧିରେ ଛଟପଟ ହେଉଥିଲେ ମଧ୍ୟ ସରକାର ଏହି ପ୍ରସଙ୍ଗରେ ଆଲୋଚନା ନ କରିବା ନିନ୍ଦନୀୟ ବୋଲି ସେମାନେ କହିଛନ୍ତି ।
Powered by Froala Editor