ଆତଙ୍କବାଦୀ ସକ୍ରିୟ, ଭାରତରେ ଆକ୍ରମଣ ପାଇଁ ଧମକ ଦେଲେ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ଆତଙ୍କବାଦୀ ସଂଗଠନଗୁଡ଼ିକ ଭାରତ ବିରୋଧରେ ସକ୍ରିୟ ହୋଇ ଉଠିଛନ୍ତି । ହିଜବୁଲ ମୁଜାହିଦ୍ଧିନ ମୁଖ୍ୟ ସୟଦ ସଲାଉଦ୍ଧିନ ଶନିବାର ଏକ ଅଡ଼ିଓ ବାର୍ତ୍ତା ଜାରି କରି ଭାରତକୁ ଧମକାଇଛି । ଭାରତରେ ଆକ୍ରମଣ ପାଇଁ ସେ ତାଲିବାନର ସହଯୋଗ ଚାହିଛି । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଇବାପାଇଁ ସେ ତାଲିବାନ ଆତଙ୍କବାଦୀଙ୍କଠାରୁ ସହଯୋଗ ପାଇଁ ଅନୁରୋଧ କରିଛି ଏବଂ ଭାରତ ବିରୋଧରେ ଜିହାଦ ଜାରି ରଖିବାକୁ ଆହ୍ୱାନ ଦେଇଛି । ଅନଲାଇନରେ ନିଜ ବିବୃତି ଜାରି କରି ସଲାଉଦ୍ଧିନ କହିଛି, ମୁଁ ଆଲ୍ଲାଙ୍କୁ ପ୍ରାର୍ଥନା କରୁଛି ଆଲ୍ଲା ଇସଲାମିକ ଏମିରେଟସ ଅଫ ଆଫଗାନିସ୍ତାନକୁ ଏତେ ଶକ୍ତିଶାଳୀ କରିଦେବେ ଯେ ସେମାନେ କାଶ୍ମୀର ବାସିନ୍ଦାଙ୍କୁ ଭାରତ ବିରୋଧରେ ସମର୍ଥନ କରିବେ । ଉଲ୍ଲେଖଯୋଗ୍ୟ, ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନରେ ବର୍ବରତା ଆରମ୍ଭ କରିଦେଇଛନ୍ତି । ଶାନ୍ତିପୂର୍ଣ୍ଣ ଆଫଗାନିସ୍ତାନର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ସେମାନେ ପୂର୍ବ ସରକାରର ଅଧିକାରୀ ଓ ସେନା କର୍ମଚାରୀଙ୍କୁ ହତ୍ୟା କରୁଛନ୍ତି । ତାଲିବାନ ହାତରେ ଏବେ ସମଗ୍ର ଆଫଗାନିସ୍ତାନର ନିୟନ୍ତ୍ରଣ ଥିବାରୁ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ଏହାର ସହାୟତା ଲୋଡ଼ିଛନ୍ତି ।
Powered by Froala Editor