ଫୁଟବଲ ଅଲିମ୍ପିଆନ ହକିମ୍ଙ୍କ ହୃଦଘାତର ଦେହାନ୍ତ
ନୂଆଦିଲ୍ଲୀ : ଭାରତୀୟ ଫୁଟବଲ ଦଳର ପୂର୍ବତନ ଖେଳାଳି ତଥା ପ୍ରଶିକ୍ଷକ ଅଲିମ୍ପିଆନ ସୟଦ ସାହିଦ୍ ହକିମ୍ଙ୍କ କର୍ଣ୍ଣାଟକର ଗୁଲବର୍ଗାସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ତାଙ୍କୁ ୮୨ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ ହକିମ୍ ହୃଦଘାତ ଯୋଗୁଁ ଚିକିତ୍ସିତ ହେଉଥିଲେ। ରବିବାର ସକାଳ ୮ଟା୩୦ରେ ତାଙ୍କର ପରଲୋକ ହୋଇଥିବା ନେଇ ପତ୍ନୀ ସାଦିଆ ସୟଦା ସୂଚନା ଦେଇଛନ୍ତି।
ସ୍ବର୍ଗତ ହକିମ ଫୁଟବଲ ଖେଳାଳି ଭାବେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ। ୧୯୬୦ ରୋମ ଅଲିମ୍ପିକ୍ସରେ ଭାରତୀୟ ଫୁଟବଲ ଦଳ ପକ୍ଷରୁ ପ୍ରତିିନିଧିତ୍ବ କରିଥିଲେ। ଫୁଟବଲ ଖେଳ ଛାଡ଼ିବା ପରେ ପ୍ରଶିକ୍ଷଣକୁ ଆପଣାଇଥିଲେ। ୫ ଦଶନ୍ଧି ଧରି ଭାରତୀୟ ଫୁଟବଲ ସହିତ ଜଡ଼ିତ ଥିଲେ। ସ୍ବର୍ଗତ ହକିମ୍ ୧୯୮୨ ଏସୀୟ କ୍ରୀଡ଼ାରେ ସ୍ବର୍ଗତ ପି.କେ. ବାନାର୍ଜୀଙ୍କ ସହ ଭାରତୀୟ ଦଳର ସହ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ଘରୋଇ ଫୁଟବଲରେ ମଧ୍ୟ ସ୍ବର୍ଗତ ହକିମ୍ଙ୍କ ବହୁତ ଖ୍ୟାତିି ରହିଥିଲା। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଦଳର ପ୍ରଶିକ୍ଷକ ଭାବେ ଦୀର୍ଘ ବର୍ଷ ଦାୟିତ୍ବ ତୁଲାଇଥିଲେ। ଏହାଛଡ଼ା ସାଲଗାଓକର, ହିନ୍ଦୁସ୍ତାନ ଏଫ୍ସି ଓ ମୁମ୍ବଇ ଏଫ୍ସିର ମଧ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ହକିମ୍ ସର୍ଭିସେସ ପକ୍ଷରୁ ସନ୍ତୋଷ ଟ୍ରଫି ୧୯୬୦ରୁ ୧୯୬୬ ପର୍ଯ୍ୟନ୍ତ ଖେଳିଥିଲେ। ସେ ଭାରତୀୟ ବାୟୁସେନା ପକ୍ଷରୁ ମଧ୍ୟ ଖେଳିଥିଲେ। ୧୯୫୦ରୁ ୧୯୬୦ ପର୍ଯ୍ୟନ୍ତ ଭାରତୀୟ ଫୁଟବଲ ହାସଲ କରିଥିବା ସଫଳତାରେ ହକିମ୍ଙ୍କ ବଡ ଅବଦାନ ଥିଲା। ଚୁନି ଗୋସ୍ବାମୀ, ରାମ୍ ବାହାଦୂର, ପ୍ରସନ୍ନା ସିହ୍ନା ଓ ଫ୍ରାନ୍କୋଙ୍କ ସହ ହକିମ୍ ଏକା ସମୟରେ ଭାରତୀୟ ଫୁଟବଲ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଫିଫା ୧୭ ବର୍ଷରୁ କମ୍ ବିଶ୍ବକପ ଫୁଟବଲରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ହକିମଙ୍କୁ ଟୁର୍ଣ୍ଣାମେଣ୍ଟ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ଫୁଟବଲ ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ଓ ଜୀବନବ୍ୟାପୀ ଅବଦାନ ପାଇଁ ଧ୍ୟାନଚାନ୍ଦ ପୁରସ୍କାର ମଧ୍ୟ ପାଇଥିଲେ। ହକିମ୍ଙ୍କ ପରଲୋକରେ ସର୍ବଭାରତୀୟ ଫୁଟବଲ ମହାସଂଘ ସଭାପତି ପ୍ରଫୁଲ୍ଲ ପଟେଲ, ସାଧାରଣ ସମ୍ପାଦକ କୁଶଳ ଦାଶ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
Powered by Froala Editor