ଆରପାରିରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଆଜି ପରଲୋକ ଘଟିଛି। ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ କଲ୍ୟାଣ ସିଂହ। ଜୁଲାଇ ୪ରୁ ଲକ୍ଷ୍ମୌର ଏସଜିପିଜିଆଇ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏକାଧିକ ଅଙ୍ଗପ୍ରେତ୍ୟଙ୍ଗ ଫେଲ ଯୋଗୁ ତାଙ୍କର ପରଲୋକ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ଶ୍ରୀ ସିଂହ ସ୍କୁଲରେ ପାଠ ପଢ଼ିବା ବେଳେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସଦସ୍ୟ ହୋଇଥିଲେ। ସେ ୧୯୬୭ ମସିହାରେ ପ୍ରଥମଥର ପାଇଁ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ଅତ୍ରାଉଲି ଆସନରୁ ସେ ୯ଥର ବିଧାନସଭାକୁ ଯାଇଛନ୍ତି। ଭାରତୀୟ ଜନସଂଘ, ଜତନା ପାର୍ଟି, ରାଷ୍ଟ୍ରୀୟ କ୍ରାନ୍ତୀ ପାର୍ଟି ଓ ଭାରତୀୟ ଜନତା ପାର୍ଟିରୁ ସେ ବିଧାୟକ ହୋଇଥିଲେ।
ଦୁଇ ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ କଲ୍ୟାଣ ସିଂହ। କଲ୍ୟାଣ ସିଂହ ପ୍ରଥମେ ୧୯୯୧ରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ୧୯୯୨ ମସିହାରେ ବାବ୍ରୀ ମସଜିଦକୁ ଭଙ୍ଗା ଯାଇଥିଲା। ଏହାରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
୨୦୦୪ରେ ପୁଣି ସେ ବିଜେପିରେ ସାମିଲ ହୋଇ ବୁଲନ୍ଦଶହରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ପୁଣି ବିଜେପି ଛାଡ଼ିଥିଲେ। ସେହିବର୍ଷ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ଲୋକସଭାକୁ ଯାଇଥିଲେ। ୨୦୧୪ରେ ସେ ପୁଣି ବିଜେପିରେ ଯୋଗଦେଇ ରାଜସ୍ଥାନର ରାଜ୍ୟପାଳ ହୋଇଥିଲେ। ତାଙ୍କୁ ୨୦୧୫ରେ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିଲା।
Powered by Froala Editor