'ମତାନ୍ତରକୁ ଭୁଲି ଏକାଠି ହେଲେ ହିଁ ନିର୍ବାଚନରେ ଲକ୍ଷ୍ୟ ହାସଲ ହୋଇପାରିବ'

ନୂଆଦିଲ୍ଲୀ : ବିରୋଧୀ ଦଳମାନେ ଏକଜୁଟ ହୋଇ ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ଏବେଠାରୁ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିବାକୁ ହେବ ଏବଂ ଚାପ ଓ ସମସ୍ୟା ଭିତରେ ବି ଆଗକୁ ବଢ଼ିବାକୁ ହେବ ବୋଲି ବିରୋଧୀ ଦଳମାନଙ୍କ ମିଳିତ ଭର୍ଚୁଆଲ ବୈଠକରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଗୁରୁ୍ତ୍ୱାରୋପ କରିଛନ୍ତି । ବିରୋଧୀ ଦଳମାନେ ଜାତୀୟ ସ୍ୱାର୍ଥ ପାଇଁ ମତାନ୍ତରକୁ ଭୁଲି ଏକାଠି ହେଲେ ହିଁ ୨୦୨୪ ନିର୍ବାଚନରେ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ କହିଛନ୍ତି । ୧୯ଟି ଦଳକୁ ନେଇ ହୋଇଥିବା ବୈଠକରେ ସୋନିଆ କହିଛନ୍ତି ଯେ ଲକ୍ଷ୍ୟ ହାସଲ ପାଇଁ ଆମକୁ ଦୃଢ଼ତାର ସହ ଆଗକୁ ବଢ଼ିବାକୁ ହେବ । ଦେଶରେ ସ୍ୱାଧୀନତା ଆନ୍ଦୋଳନର ମୂଲ୍ୟବୋଧ ଏବଂ ସମ୍ବିଧାନର ନୀତିକୁ କାଏମ ରଖିବା ପାଇଁ ସମସ୍ତ ବିରୋଧୀ ଦଳ ଏକ ମନରେ କାମ କରିବାକୁ ସୋନିଆ ଆହ୍ୱାନ ଦେିଛନ୍ତି । ସୋନିଆଙ୍କ ବୈଠକରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଏନସିପି ନେତା ଶରଦ ପାୱାର, ଆରଜେଡି ନେତା ତେଜସ୍ୱୀ ଯାଦବ, ସିପିଏମ ନେତା ସୀତାରାମ ୟେଚୁରୀ ପ୍ରମୁଖ ସାମିଲ ହୋଇଥିଲେ । ତେବେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ, ଆମ ଆଦମୀ ପାର୍ଟି ଏବଂ ଅକାଳୀ ଦଳ ସୋନିଆଙ୍କ ଏହି ବୈଠକକୁ ଏଡ଼ାଇ ଯାଇଥିଲେ ।
Powered by Froala Editor